ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ମେଡିକାଲ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିନ ପ୍ରାୟ୧୧ ଟା ୩୦ରେ ମେଡିକାଲ ପରିସର ମଧ୍ୟରେ ଥିବା ଏଏନଏମ୍ କ୍ୱାଟରଟି ସର୍ଟ ସର୍କିଟରେ ଜଳିଯାଇ ଥିବା ଖବର ମିଳିଛି। ସୂଚନା ଅନୁଯାୟୀ ଏଏନଏମ୍ ମିଖଳା ପ୍ରଧାନ ସ୍ଥାନୀୟ ମେଡିକାଲ ଡିଉଟିରେ ଥିବା ବେଳେ ତାଙ୍କ ସ୍ୱାମୀ ଜୀବନ୍ତ ନାୟକ ନିଜ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ତାଙ୍କର ୧୦ ବର୍ଷର ପୁଅ ଘରେ ରହି ଅନଲାଇନରେ ପାଠ ପଢୁ ଥିଲା। ଏହି ସମୟରେ ଅଚାନକ ବେଡ଼ରୁମରୁ ଧୂଆଁ ବାହାରୁ ଥିବା ଦଖି ପୁଅ ଭୟରେ ମେଡିକାଲକୁ ଯାଇ ଖବର ଦେଇଥିଲେ।
ପରେ ଡାକ୍ତର ପ୍ରମୋଦ କୁମାର ସେଠୀ, ଡ୍ରାଇଭର ଶିବ ପାଢ଼ୀ ଓ ଉପସ୍ଥିତ ଥିବା ଆଶା କର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ତଥାପି ବେଡ଼ରୁମରେ ଥିବା ଲୁଗାପଟା, ଆସବାବପତ୍ର, ଘରର ବୈଦ୍ୟୁତିକ ତାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗକୁ ଫୋନ କରାଯାଇଥିବା ବେଳ ସେମାନେ ଆସିବା ପୂର୍ବରୁ ଉପସ୍ଥିତ ଲୋକେ ନିଆଁକୁ ଲିଭାଇ ବାରେ ସଫଳ ହୋଇଥିଲେ।