ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଛତିଶଗଡ଼ର କୋତବାଲୀ ଥାନାରେ ଯୁବ କଂଗ୍ରେସ ପକ୍ଷରୁ ଏତଲା ଦାୟର କରାଯାଇଛି। ବିଭିନ୍ନ ସମୂହଙ୍କ ମଧ୍ୟରେ ଶତ୍ରୁତା ବଢ଼ାଇବା ମାମଲାରେ ଅଭିଯୋଗ ହୋଇଛି। ସମ୍ବିତଙ୍କ ଉପରେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ଜବାହାରଲାଲ ନେହେରୁ ଓ କଂଗ୍ରେସ ପାର୍ଟି ବିରୋଧରେ ଟ୍ୱିଟରରେ ଅରୁଚିକର ଓ ଅଭଦ୍ର ଟିପ୍ପଣୀ କରିଥିବା ଆରୋପ ଲଗାଯାଇଛି। ଯୁବ କଂଗ୍ରେସ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଅଭିଯୋଗ ଆଧାରରେ ସମ୍ବିତଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି।
ପୁଲିସର କହିବାନୁସାରେ, ମେ ୧୦ରେ ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ଉପରେ କାଶ୍ମୀର ମାମଲା, ୧୯୮୪ରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ଓ ବୋଫର୍ସ ଘଟାଲାକୁ ନେଇ ସମ୍ବିତ ମିଥ୍ୟା ଆରୋପ ଲଗାଇଥିବା ପାଢ଼ୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ପୂର୍ବ ଦୁଇ ପ୍ରଧାନମନ୍ତ୍ରୀ କୌଣସି ଦଙ୍ଗା ଓ ଭ୍ରଷ୍ଟାଚାର ସମ୍ବୋଧିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। କିନ୍ତୁ କରୋନା ଯୁଦ୍ଧ ସମୟରେ ସମ୍ବିତ ଏଭଳି ମତାମତ ଦେଇ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଉଛନ୍ତି ଯାହାକି ଆଦୌ ଗ୍ରହଣୀୟ ନୁହେଁ ବୋଲି ପାଢ଼ୀ କହିଛନ୍ତି।