କଟକଣା ନିୟମ ଉଲ୍ଲଘଂନ ଅଭିଯୋଗରେ ୭ ଦିନରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଫାଇନ ଆଦାୟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅମାନିଆଙ୍କଠାରୁ ଗତ ୭ ଦିନ ମଧ୍ୟରେ ଝାରସୁଗୁଡ଼ା ପୁଲିସ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜୋରିମାନା ଆଦାୟ କରିଛି। ମାସ୍କ ନପିନ୍ଧି ବାହାରକୁ ଆସିଥିବା ଲୋକଙ୍କଠାରୁ ୪ ଲକ୍ଷ ୧୪ ହଜାର ୨୫୦ ଟଙ୍କା ଆଦାୟ ହୋଇଛି। ମୋଟର ଭେଇକିଲ ଆକ୍ଟ ଉଲ୍ଲଙ୍ଘନ ଅଭିଯୋଗରେ ୨୨ ହଜାର ୫ ଶହ ଟଙ୍କା ଫାଇନ ଆଦାୟ ହୋଇଛି।

ତେବେ ଅଗଷ୍ଟ ପହିଲାରୁ କୋଭିଡ ନିୟମରେ କେତେକ ପରିବର୍ତ୍ତନ କରାଯିବା ସହିତ ଉଲ୍ଲଙ୍ଘନକାରୀଙ୍କ ପ୍ରତି ଫାଇନ ଆଦାୟକୁ ଆହୁରି କଡାକଡି କରାଯାଇଛି। ନୂଆ ଗାଇଡଲାଇନ ଅନୁସାରେ ମାସ୍କ ନପିନ୍ଧି ଘରୁ ବାହାରିଲେ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଫାଇନ, ଦୋକାନ ତଥା ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ରକ୍ଷା ନକଲେ ପ୍ରତିଷ୍ଠାନ ସିଲ କରାଯିବା ସହ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କରୋନା ସଂକ୍ରମଣକୁ ରୋକିବାରେ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।