ଦୁଇ ଚକିଆକୁ ୧.୧୦ ଲକ୍ଷ ଜୋରିମାନା, ତଣ୍ଡ ଗଣିବେ ସୋ’ ରୁମ୍ ମାଲିକ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଦୁଇ ଚକିଆ ଯାନ ବଜାଜ ପ୍ଲାଟିନା ଉପରେ ୧ ଲକ୍ଷ ୧୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି। ଏହି ଗାଡ଼ିଟି ଖରିଦ କରିଥିବା ବ୍ୟକ୍ତି ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ତରଭା ଗ୍ରାମର ଜୁବିନାଶ ଭୂୟାଁ। ସେ ଏହି ଗାଡ଼ିଟି ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଜେକେ ରୋଡସ୍ଥିତ ସୀତାରାମ ମୋଟର୍ସରୁ କିଣିଥିଲେ।

ତେବେ ସୀତାରାମ ମୋଟର୍ସ ପକ୍ଷରୁ ଗାଡ଼ିର କାଗଜପତ୍ର ଠିକ ଭାବେ କରାଯାଇନଥିବାରୁ ସୋରୁମ ମାଲିକଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ି କିଣିଥିବା ଶ୍ରୀ ଭୂୟାଁଙ୍କୁ ୧୦ ହଜାର ଟଙ୍କା ଜୋରିମାନା ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଗାଡ଼ିର ମୂଲ୍ୟ ୫୦ ହଜାର ଟଙ୍କା ହୋଇଥିବାବେଳେ ଏହାର ଜୋରିମାନା ବାବଦରେ ଦୁଇଗୁଣରୁ ଅଧିକ ଅର୍ଥ ଦେବାକୁ ନିର୍ଦ୍ଦେଶ ହୋଇଥିବାରୁ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।