ଭୁବନେଶ୍ଵର,ଏନ୍ଏନ୍ଏସ୍: ୨୪ ଘଣ୍ଟା ମଧ୍ୟରେ ଆଦାୟ ହେଲା କୋଟିଏ ଜରିମାନା। ନୂଆ ମୋଟର ଯାନ ଆଇନ ଉଲ୍ଲଙ୍ଘନକାରୀଙ୍କ ଠାରୁ ୨୪ ଘଣ୍ଟାରେ ମଧ୍ୟରେ ଆଦାୟ ହୋଇଛି କୋଟିଏ ଜରିମାନା। ଗତ ୨୪ ଘଣ୍ଟା ଭିତରେ ୧ କୋଟି ୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି ଆରଟିଓ।
ସୂଚନାନୁଯାୟୀ ଆଜି ଓଡ଼ିଶାରେ ସମୁଦାୟ କୋଟିଏ ଟଙ୍କା ଜରିମାନା ଆଦାୟ ହୋଇଛି। ବାଇକରେ ଟ୍ରିପଲ ରାଇଡ଼ିଂ କରିବା କାରଣରୁ ୧୨୬ ଜଣଙ୍କଠୁ ହୋଇଛି ଜରିମାନା ଆଦାୟ। ସେହିଭଳି ମୋବାଇଲରେ କଥା ହୋଇଥିବା ଯୋଗୁଁ ୪୮ ଜଣଙ୍କଠୁ ଫାଇନ୍ ଆଦାୟ, ବିପରୀତ ଦିଗରେ ଡ୍ରାଇଭିଂ କରିବା କରିବା ଯୋଗୁଁ ୧୦ ଜଣଙ୍କଠୁ ଜରିମାନା, ବିନା ହେଲମେଟରେ ୧ହଜାର ୮୩୧ ଓ ମଦୁଆ ଡ୍ରାଇଭର ୨୪ ଜଣ ଧରାପଡ଼ିଛନ୍ତି। ସେହିପରି ବିନା ସିଟ୍ ବେଲ୍ଟରେ ୩୪୯, ଦ୍ରୁତ ଡ୍ରାଇଭିଂ ପାଇଁ ୨୭୭ଙ୍କ ଠୁ ଜରିମାନା ଆଦାୟ ହୋଇଛି।
ଦେଖିବାକୁ ଗଲେ ସମୁଦାୟ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୩ ହଜାର ୮୭୦ ଖିଲାପକାରୀଙ୍କ ଠୁ ହୋଇଛି ଜରିମାନା ଆଦାୟ। ଆରଟିଓ ଦ୍ଵାରା ୧ ହଜାର୭୫୮ ଖିଲାପକାରୀଙ୍କ ଠୁ ୮୮ ଲକ୍ଷର ଜରିମାନା ଆଦାୟ ହୋଇଛି। ୨ ହଜାର ୧୧୨ ଖିଲାପକାରୀଙ୍କ ଠୁ ୧୮ ଲକ୍ଷ ଜରିମାନା ଆଦାୟ କରିଛି ପୋଲିସ।
ନୂଆ ମୋଟରଯାନ ଆଇନ ୧ ସେପ୍ଟେମ୍ବର ୨୦୧୯ରୁ ଲାଗୁ ହୋଇଥିଲେ ମଧ୍ୟ ସାଧାରଣ ଲୋକ ଟ୍ରାଫିକ ଚେକିଂରେ ପଡି ମୋଟା ଅଙ୍କର ଜରିମାନା ଦେବାପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଏଥିପାଇଁ ରାଜମହଲ ଛକରେ ଜନତା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଅର୍ଥାତ ନଭେମ୍ବର ୧୪ତାରିଖରୁ ଡିସେମ୍ବର ୩୧ ତାରଖ ଟ୍ରାଫିକ ଚେକିଂ କୋହଳ କରାଯିବା ସହ ଗାଡି କାଗଜ ପତ୍ର କରିବା ପାଇଁ ସମୟ ଦିଆଯାଇଥିଲା । ହେଲେ ସମୟସୀମା ପୁରିବା ପରେ ଆରର୍ଟିଓ ଅଫିସରେ କମି ନ ଥିଲା ଲୋକମାନଙ୍କର ଭିଡ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ପୁଣିଥରେ ଡ଼ିସେମ୍ବର ୩୧ରୁ ମାର୍ଚ୍ଚ ୧ପର୍ୟ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଥିଲା । ଯାହାକି ଗତକାଲି ପୁରିଛି।
ତେବେ ସମୟ ସୀମା ବୃଦ୍ଧି ହେବା ସତ୍ତ୍ଵେ ମଧ୍ୟ ଚେତୁ ନାହାଁନ୍ତି ଚାଳକ। ଗତ ୨୪ ଘଣ୍ଟା ମଧ୍ୟରେ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଆଦାୟ ହୋଇଛି ପ୍ରାୟ କୋଟିଏ ଟଙ୍କା। ରଙ୍ଗ୍ ରୁଟରେ ଗାଡ଼ି ଚାଳନା କରି, ବିନା ହେଲମେଟ୍, ଦ୍ରୁତ ଡ୍ରାଇଭିଂ, ବିନା ସିଟ୍ ବେଲ୍ଟରେ ଗାଡ଼ି ଚାଳନା କରି ଆଜି ହଟହଟା ହୋଇଛନ୍ତି ଗାଡ଼ି ଚାଳକ।