କରୋନା ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

ନୂଆଦିଲ୍ଲୀ,ଏଜେନ୍ସି: ଲକ୍‌ଡାଉନ୍‌ ମଧ୍ୟରେ ଦେଶବାସୀଙ୍କୁ ଆଶ୍ୱସ୍ତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପରିପ୍ରେକ୍ଷୀରେ ଗରିବଙ୍କ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଲକ୍‌ଡାଉନରେ ପ୍ରଭାବିତ ଗରିବ ଓ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯିବ। ସେହିପରି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ପର୍ୟ୍ୟନ୍ତ ବୀମା ରାଶି ଘୋଷଣା କରିଛନ୍ତି। ଏଥିରେ ୨୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଯଥା ଡାକ୍ତର, ପାରାମେଡ଼ିକାଲ କର୍ମୀ, ନର୍ସମାନଙ୍କୁ ସୁବିଧା ମିଳିବ ବୋଲି ନିର୍ମଳା ସୀତାରମଣ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ କରାଯାଇଛି। ଦେଶର ଲକ୍‌ଡାଉନ୍‌ ମଧ୍ୟରେ ଅର୍ଥ ମନ୍ତ୍ରୀଙ୍କ ଏହା ବଡ଼ ଘୋଷଣା। ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କୁ ୧.୭୦ ଲକ୍ଷ କୋଟି ଟଙ୍କାର ସହୟାତା ରାଶି ସାହାଯ୍ୟ କରାଯିବ। ଅର୍ଥମନ୍ତ୍ରୀଙ୍କ କହିବାନୁଯାୟୀ, ୮.୬୫ କୋଟି କୃଷକମାନଙ୍କୁ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ୨ ହଜାର ଟଙ୍କାର କିସ୍ତି ଦିଆଯିବ। ସେହିପରି ଏହି ପ୍ୟାକେଜରେ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ୧ହଜାର ଲେଖାଏଁ ସହାୟତା ରାଶି ମାସିକ ଭତ୍ତାସହ ୨ଟି କିସ୍ତିରେ ପ୍ରଦାନ କରାଯିବ। ଜନଧନ ଖାତା ଧାରୀ ମହିଳାମାନଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ୫୦୦ଟଙ୍କା ଲେଖାଏଁ ଦିଆଯିବ। ଉଜ୍ୱଳା ଯୋଜନା ହିତାଧୀକାରୀମାନଙ୍କୁ ଆଗାମୀ ୩ମାସ ପର୍ଯ୍ୟନ୍ତ ମାଗଣାରେ ସିଲିଣ୍ଡର ଯୋଗାଇଦିଆଯିବ। ସେହିପରି ବିନା ଗ୍ୟାରେଣ୍ଟିରେ ଏସଏଚଜି ମହିଳା ମାନଙ୍କୁ ୨୦ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାକୁ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ଏଥିସହିତ ଯେଉଁ କମାଣ୍ଡୋଜମାନେ କୋରୋନା ମହାମାରୀକୁ ଲଢୁଛନ୍ତି ସେମାନଙ୍କୁ ୧୫ ଲକ୍ଷ ଟଙ୍କା ଲାଇଫ୍‌ଇନସୁରାନ୍ସ ଦିଆଯିବ। ଆହୁରି କହିଛନ୍ତି ଯେ କୌଣସି ଗରିବ ଉପବାସ ନରହୁ ସେଥିପାଇଁ ସରକାର ମଧ୍ୟ ବ୍ୟବସ୍ଥା କରିଛନ୍ତି। ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ଅନ୍ୟ ଯୋଜନା ମାଧ୍ୟମରେ ୫ କେଜି ଗହମ ବା ଚାଉଳ ଆସନ୍ତା ୩ମାସ ପର୍ୟ୍ୟନ୍ତ ଯୋଗାଇଦେବେ ଯାହା ୮୦ କୋଟି ଲୋକଙ୍କୁ ମିଳିବ। ଏହା ବ୍ୟତୀତ ୧ କେଜି ଡାଲିର ମଧ୍ୟ ବ୍ୟବସ୍ଥା କରାଯାଇଛି। ତେବେ ଲକ୍‌ଡାଉନ୍‌ ଭଳି ସମସ୍ୟାକୁ ସାମ୍ନା କରୁଥିବା ଦେଶବାସୀଙ୍କ ଏହା ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି ।