ଆର୍ଥିକ ପ୍ୟାକେଜରେ ଶିକ୍ଷା, ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ କୋଟି ପ୍ୟାକେଜର ଘୋଷଣା କରାଯାଇଥିଲ। ଏହି ପ୍ୟାକେଜ ଘୋଷଣାର ଆଜି ପଞ୍ଚମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି। ଏଥିରେ ପିଏମ ଇ-ବିଦ୍ୟାର ଶୁଭାରମ୍ଭ କରାଯିବ। ସ୍କୁଲ ଶିକ୍ଷାକୁ ଆଧାର କରି ଦୀକ୍ଷା ପ୍ଲାର୍ଟଫର୍ମର ଯୋଜନା ପ୍ରସ୍ତୁତ ହେବ। ଦଶମରୁ ଦ୍ୱାଦଶ ପିଲାଙ୍କ ପାଇଁ ‘ୱାନ କ୍ଲାସ ଓ ୱାନ ଚ୍ୟାନେଲ’ ଆରମ୍ଭ ହେବ। ଶିକ୍ଷା କ୍ଷେତ୍ରରେ ଅନଲାଇନ ଏଜୁକେଶନକୁ ବ୍ୟବହାର କରାଯାଇଥିବାବେଳେ ପୂର୍ବରୁ ୩ଟି ସ୍ୱୟଂପ୍ରଭା ଡିଟିଏଚ ଚ୍ୟାନେଲ୍ ଥିଲା। ଏବେ ସେଥିରେ ଆଉ ୧୨ଟି ଯୋଡ଼ି ଦିଆଯାଇଛି। ଲାଇଭ ଇଣ୍ଟରଆକ୍ଟିଭ ଚ୍ୟାନେଲ୍ ଯୋଡ଼ିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ ଜାରି ରହିଛି। ୨୦୦ ନୂଆ ପାଠ୍ୟପୁସ୍ତକୁ ପାଠଶାଳାରେ ଯୋଡ଼ାଯାଇଛି। ଦେଶର ୧୦୦ଟି ୟୁନିଭର୍ସିଟି ମେ’ ୩୦ ସୁଦ୍ଧା ଅନଲାଇନ ଶିକ୍ଷାର ଶୁଭାରମ୍ଭ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିପରି ସ୍ୱାସ୍ଥ୍ୟ ବିଭାଗ ଲାଗି ୧୫ ହଜାର କୋଟିର ବ୍ୟୟ ବରାଦ କରାଯାଇଛି। ଏଥିରେ ଟେଷ୍ଟିଂ ଓ ଲ୍ୟାବ କିଟ ପାଇଁ ୫୫୦ କୋଟି ଖର୍ଚ୍ଚ ହେବ। ଜରୁରୀ ସେବା ପାଇଁ ୩ ହଜାର ୭୫୦ କୋଟି ସହାୟତା ପ୍ରଦାନ କରାଯିବା ସହ ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି ୫୦ ଲକ୍ଷ ବୀମା ଯୋଜନା ବ୍ୟବସ୍ଥା ହେବ। କରୋନା ମୁକାବିଲା ପାଇଁ ପ୍ରତ୍ୟେକ ରାଜ୍ୟକୁ ୪୧୧୩ କୋଟି ପ୍ରଦାନ କରାଯିବ।