ଶେଷରେ କୋଟିଆରେ ଆନ୍ଧ୍ର କଲା ଜିଲା ପରିଷଦ ନିର୍ବାଚନ

କୋରାପୁଟ,ଏନ୍ଏନ୍ଏସ୍: ବିବାଦୀୟ କୋଟିଆରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରାଇବାରେ ସଫଳ ହୋଇଛି। ଓଡ଼ିଶାର ବିରୋଧ ସତ୍ୱେ ଗତ ଫେବୃଆରୀ ୧୩ରେ କୋଟିଆ ପଂଚାୟତର ତଳଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀରେ ସରପଞ୍ଚ ନିର୍ବାଚନ ଆୟୋଜନ କରିଥିଲା। ସେତେବେଳେ ନିର୍ବାଚନ କରି ଅଦାଲତ ଆଦେଶର ଅବମାନନା କରିଥିବାବେଳେ ବର୍ତ୍ତମାନ କୋଟିଆରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରି ଆନ୍ଧ୍ର ପୁଣି ଦାଦାଗିରି ଦେଖାଇବାକୁ ଅପଚେଷ୍ଟା କରିଛି। ଗତ କିଛିଦିନ ମଧ୍ୟରେ କୋଟିଆର ବିଭିନ୍ନ ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କୋରାପୁଟ ଜିଲ୍ଲା ପ୍ରଶାସନ ୭-୯ତାରିଖ ଯାଏ ସମଗ୍ର କୋଟିଆ ପଂଚାୟତରେ ୧୪୪ ଧାରା ଜାରି କରିଛନ୍ତି। ତେବେ ଆନ୍ଧ୍ର ସରକାର ୧୪୪ ଧାରାକୁ ବେଖାତିର କରି ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ନିର୍ବାଚନ କରାଇଛନ୍ତି। ଫଳରେ ୨ ରାଜ୍ୟ ମଧ୍ୟରେ ଥିବା ଭାଇଚାରା ଓ ସୁସମ୍ପର୍କରେ ଦାଗ ଲାଗିଛି। କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବାବେଳେ ଘଟଣା ସର୍ବୋଚ୍ଚ ନ୍ୟାୟାଳୟରେ ରହିଛି। ଆନ୍ଧ୍ର ସରକାର ଦ୍ୱାରା କରାଯାଉଥିବା ଜିଲ୍ଲା ପରିଷଦ ନିର୍ବାଚନକୁ ପ୍ରଥମେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ସ୍ଥଗିତ କରିଥିଲେ ମଧ୍ୟ ବୁଧବାର ଏକ ୩ଜଣିଆ ଖଣ୍ଡପୀଠ ଶୁଣାଣି କରି ଭୋଟ ଗ୍ରହଣ ପାଇଁ ଅନୁମତି ଦେଇଥିଲେ। ଆନ୍ଧ୍ରପ୍ରଦେଶର ନିର୍ବାଚନକୁ କୋରାପୁଟ ଜିଲ୍ଲା ପ୍ରଶାସନ ସମେତ ସବୁ ରାଜନୈତିକ ଦଳର ନେତା ବିରୋଧ କରି କୋଟିଆରେ ଉପସ୍ଥିତ ରହି ନିର୍ବାଚନକୁ ପ୍ରତିହତ କରିବାକୁ ପ୍ରସ୍ତୁତ ଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଯାନୀ, ବିଜେଡି ଜିଲ୍ଲା ସଭାପତି ଇଂ.ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଜେପି ନେତା ଜୟରାମ ପାଙ୍ଗୀ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା, କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ, ପଟ୍ଟାଙ୍ଗୀ, ଲମତାପୁଟ ବିଡିଓ ଓ ତହସିଲଦାର ପ୍ରମୁଖ କୋଟିଆର ନେରେଡିବାଲସାରେ ଉପସ୍ଥିତ ରହିଥିଲେ।

ଅନ୍ୟପଟେ ଆନ୍ଧ୍ର ପ୍ରଶାସନ କିମ୍ବା ବିବାଦୀୟ ଗ୍ରାମର ଲୋକେ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ୧୪୪ ଧାରାକୁ ଉଲ୍ଲଙ୍ଘନ କରି କଣ୍ଟେନମେଣ୍ଟ ଜୋନ୍ ଅତିକ୍ରମ କରିବା ସହ ନେରେଡ଼ିବାଲସାରେ ଭୋଟ ଦେଇଥିଲେ। ମତଦାନ କେନ୍ଦ୍ରକୁ ଯାଉଥିବା ଲୋକଙ୍କୁ ଓଡ଼ିଶା ପୁଲିସ ରୋକିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକେ ପୁଲିସକୁ ଠେଲାପେଲା କରି ଧସେଇ ପସି ଯାଇଥିଲେ। ଓଡ଼ିଶା ସରକାରର କୌଣସି ସାହାଯ୍ୟ ଆବଶ୍ୟକ ନାହିଁ, ଖାଉଟି କାର୍ଡ ତୁମେ ଫେରାଇ ନିଅ ବୋଲି ଲୋକେ ହୋହାଲ୍ଲା କରୁଥିବା ଶୁଣିବାକୁ ମିଳିଥିଲା। ତଳ ଗଞ୍ଜେଇପଦର ପଂଚାୟତର ୧,୨୭୨ଜଣ ଭୋଟରଙ୍କ ମଧ୍ୟରୁ ନେରେଡ଼ିବାଲସା ବୁଥରେ ୨୦୦ରୁ ଉର୍ର୍ଦ୍ଧ ଭୋଟର ମତଦାନ କରିଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଏସପି ପି.ରାଜ କୁମାରୀ, ପାର୍ବତୀପୁରମ୍ ଉପଜିଲ୍ଲାପାଳ ଭିଦିକା ରେଡ୍ଡୀ, ସାଲୁର୍ ଏମଆରଓ ପ୍ରମୁଖ ଉପସ୍ଥିତ ରହି ଭୋଟଦାନ କାର୍ଯ୍ୟ ତଦାରଖ କରୁଥିବାବେଳେ ଆନ୍ଧ୍ର ପୁଲିସ ଦ୍ୱାରା ଲୋକଙ୍କୁ ଗାଡ଼ିରେ ମତଦାନ କେନ୍ଦ୍ର ଯାଏ ନେବା ଆଣିବା କରାଯାଉଥିବା ଦେଖିବାକୁ ମିଳିଥିଲା। ବିଜୟନଗରମ୍ ଏସପି, ପାର୍ବତୀପୁରମ୍ ଉପଜିଲ୍ଲାପାଳ ମତଦାନ ଶାନ୍ତିପୂର୍ଣ ଭାବେ ହୋଇଥିବା କହିଥିବାବେଳେ ତଳଗଞ୍ଜେଇପଦରର ପୂର୍ବତନ ସରପଞ୍ଚ ବିଶ୍ୱନାଥ ଗେମେଲ୍ ଓଡ଼ିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିଲେ। ଫଗୁଣସିନେରୀ ପଞ୍ଚାୟତର ସଲପଗୁଡ଼ା, ଏଗୁମାଣ୍ଡାଗି, ମହିପାଣି ଓ ଫଗୁଣସିନେରର ୪୮୯ ଜଣ ଏବଂ ଫାଟୁସିନେରୀର ଡୋଳିଆମ୍ବମାଡ଼କାର, କୋନାଦୋରା, ବର୍ଣନାପାଡୁ, ଚିକାପାରୁ, ନିମାଲପାଡୁ, କୋମେଟିବାଲସା, ଡଂକେଲବାଲସା, କତୁରୁ ଓ ଫାଟୁସିନେରା ଗ୍ରାମର ୧,୦୨୫ଜଣ ଭୋଟର ତିନୋମରେ ଭୋଟ୍ ଦେବା ବ୍ୟବସ୍ଥା କରାଯାଇଥିଲା।