ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆଜି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ପରେ ଗତ ନଭେମ୍ବର ୬ ତାରିଖଠାରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୫ ତାରିଖ ଯାଏଁ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜରିଆରେ ବୁଥ ଠାରୁ ଭୋଟର ସହାୟତା କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଦାବି, ଅପିଲ, ସଂଶୋଧନ ଦରଖାସ୍ତ ଆଦି ଗ୍ରହଣ କରାଯାଇଥିଲା।

ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀ ଯଥା ଗୁଣପୁର, ବିଷମ କଟକ ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ୨୦୨୦ ମୋଟ ୬,୬୬,୩୩୬ ଜଣ ଭୋଟର ଥିବା ବେଳେ ଚଳିତ ସଂଶୋଧନ କାର୍ଯ୍ୟକ୍ରମ ନୂତନ ନାଗରିକଙ୍କ ଆବେଦନ ପତ୍ର ଗ୍ରହଣ କରାଯିବା ଫଳରେ ଆଜିସୁଦ୍ଧା ଜିଲ୍ଲାରେ ମୋଟ ୬,୭୯,୨୦୭ ଭୋଟର ଥିବା ଜଣାପଡିଛି। ଚଳିତ ସଂଶୋଧନରେ ୧୯୦୫୮ ନୂଆ ଭୋଟର ଯୋଡି ହେଇଥିବା ବେଳେ ୬୧୮୭ ଜଣ ଭୋଟର ତାଲିକାରୁ ବାଦ ହୋଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗୁଣପୁର ନିର୍ବାଚନ ମଣ୍ଡଳୀରେ ପୁରୁଷ ୧,୦୩,୩୬୧ ଜଣ, ମହିଳା ୧,୧୦,୮୬୬ ଜଣ ଓ ୪୦ ଜଣ ତୃତୀୟ ଲିଙ୍ଗି ଅଛନ୍ତି। ସେହିପରି ବିଷମ କଟକ ନିର୍ବାଚନ ମଣ୍ଡଳୀରେ ପୁରୁଷ ୧,୦୧,୭୮୩ ଜଣ, ମହିଳା ୧,୧୯,୨୯୬ ଜଣ ଓ ୩୬ ଜଣ ତୃତୀୟ ଲିଙ୍ଗି ଅଛନ୍ତି। ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପୁରୁଷ ୧,୧୫,୩୬୮ ଜଣ, ମହିଳା ୧,୨୮,୩୪୯ ଜଣ ଓ ୧୦୮ ଜଣ ତୃତୀୟ ଲିଙ୍ଗି ଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ନାରାୟଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଏବଂ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।