ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚରେ ଆଜି ଅନ୍ତିମ ଭୋଜର ପର୍ବ ପାଳନ କରାଯାଇଛି। ଏହି ପର୍ବ ପାଳନ ଅବସରରେ ବ୍ରାହ୍ମଣୀଗାଁ ଚର୍ଚ୍ଚ ପରିସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ଦ୍ୱାରା ଏକ ଉପାସନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚର୍ଚ୍ଚର ମୁଖ୍ୟ ଯାଜକ ରବି ସଭାସୁନ୍ଦରଙ୍କ ପୌରୋହିତ୍ୟରେ ଏକ ଦିବ୍ୟଯଜ୍ଞ ଅନୁଷ୍ଠିତ କରାଯାଇଥିବା ବେଳେ ଯାଜକ କପିଳାସ ନାୟକ ସହଯୋଗ କରିଥିଲେ।
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଶିଷ୍ୟ ମାନଙ୍କ ସହ ଶେଷ ଭୋଜର ଆୟୋଜନ କରାଯାଇଥିଲା। ଭୋଜନ ପୂର୍ବରୁ ସେ ତାଙ୍କ ଶିଷ୍ୟ ମାନଙ୍କ ପାଦକୁ ନିଜ ହାତରେ ଧୋଇଦେଇ ଶିଷ୍ୟ ମାନଙ୍କ ପାଦକୁ ଚୁମ୍ବନ କରିଥିଲେ ଏବଂ ବଞ୍ଚିଥିବା ଯାଏଁ ପରସ୍ପର ପ୍ରତି ଏହି ପ୍ରକାର ପ୍ରେମ ପ୍ରଦର୍ଶନ କରିବାକୁ ଶିଷ୍ୟ ମାନଙ୍କୁ ଶିକ୍ଷା ଦେଇଥିଲେ। ପ୍ରଭୁଯୀଶୁଙ୍କ ସେହି ଶିକ୍ଷା ଓ ପ୍ରେମକୁ ସ୍ମରଣ କରି ପ୍ରତ୍ୟେକ କାଥଲିକ ଧର୍ମମଣ୍ଡଳୀରେ ଏହା ପାଳନ କରାଯାଉଛି।
ବ୍ରାହ୍ମଣୀଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳୀର ପ୍ରାଚୀନ ମାନଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟଙ୍କୁ ବଛାଯାଇ ସେମାନଙ୍କ ପାଦକୁ ମୁଖ୍ୟ ପୂରୋହିତ୍ୟ ଧୌତ କରିବା ସହ ପ୍ରଭୁଯୀଶୁଙ୍କ ଦ୍ୱାରା ସ୍ଥାପିତ ଦିବ୍ୟପ୍ରସାଦ ଆରାଧନା ଓ ଉପାସନା କରାଯାଇଥିଲା। ଗ୍ରାମର ସଭାପତି ମାରିଆନ ଉଥାନ ସିଂଙ୍କ ନେତୃତ୍ୱରେ ଗ୍ରାମ୍ୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଯୁବସଙ୍ଘ ସଦସ୍ୟ ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିବାବେଳେ କିରାମାହା, ଉଲିପଦର, ଅଲାଞ୍ଜୁରୀ, ଚନ୍ଦନପୁର ଆଦି ମଣ୍ଡଳୀର ବିଶ୍ବାସୀମାନେ ଯୋଗ ଦେଇଥିଲେ।