ମହାକାଶରେ ସରିଲା ଫିଲ୍ମ ସୁଟିଂ: ପୃଥିବୀକୁ ଫେରିଲେ ଟିମ୍

ନୂଆଦିଲ୍ଲୀ,ଏଜେନ୍ସି: ମହାକାଶରେ ସୁଟିଂ ଏବେ ଶେଷ ହୋଇଛି। ଫିଲ୍ମ ସୁଟିଂ ସାରି ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌। ଏହି ଟିମରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ସୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ଗସ୍ତରେ ମହାକାଶକୁ ଯାଇଥିଲେ। ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟର ସୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷୀୟ ନିର୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ମହାକାଶକୁ ଯାଇଥିଲେ।

ମହାକାଶରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହାର କାହାଣୀର କିଛି ଅଂଶ ସ୍ପେସ୍‌ରେ ସୁଟିଂ କରାଯାଇଛି। ରବିବାର ଦିନ ଅନ୍ତର୍ଜାତୀୟ ସମୟ ରାତି ୧ଟା ୧୫ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ବାହାରିଛି। ଜଣେ ମହାକାଶଚାରୀ ଏବଂ ଦୁଇ ଜଣ ରୁଷୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ସୋୟୁଜ୍ ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡି ପୃଥିବୀ ଅଭିମୁଖେ ଯାତ୍ରା କରିଛନ୍ତି।