ଚଳଚ୍ଚିତ୍ର ପୁରସ୍କାର ଚୟନ ମାମଲା, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ,ଏନ୍‌ଏନ୍‌ଏସ୍‌: ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଚୟନ ବିରୋଧରେ ଆଗତ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆବେଦନକାରୀ ‘ଛବିରାଣୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବବି ଇସ୍‌ଲାମ୍‌ଙ୍କ ତରଫରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଅରିନ୍ଦମ୍ ସିହ୍ନାଙ୍କ ଇଜିଲାସ୍ ରାଜ୍ୟ ସରକାରଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ଆଦେଶ ଦେଇଛନ୍ତି।

ସୂଚନାଥାଉକି ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିଯୁକ୍ତ ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ପୁରସ୍କାର ପାଇବା ନିମନ୍ତେ ସ୍ଥିରୀକୃତ ଚଳଚ୍ଚିତ୍ରକୁ ବିଦେଶୀ ସିନେମା ଅନୁକରଣରେ କରାଯାଇଛି। ଚୟନ କମିଟି ଦ୍ୱାରା ପୁରସ୍କାର ପାଇବା ପାଇଁ ଯେଉଁ ଓଡ଼ିଆ ସିନେମାଗୁଡ଼ିକ ବିବେଚିତ ହୋଇଛି ସେ ସବୁ ସିନେମାକୁ ଅନ୍ୟ ସିନେମାରୁ ନକଲ କରାଯାଇଛି। ଏଭଳି ନକଲ ସିନେମାକୁ ପୁରସ୍କାର ନିମନ୍ତେ ଚୟନ କରିବା ଦ୍ୱାରା ଓଡ଼ିଆ ସିନେମାରୁ ମୌଳିକ କଥାବସ୍ତୁ ଦୂରେଇ ଯାଉଛି। ଏପରି ସିନେମାରେ ଓଡ଼ିଶାର ସଂସ୍କୃତି ଅଥବା ପରମ୍ପରାକୁ ଗୁରୁତ୍ୱ ଦିଆଯାଇନାହିଁ। ଫଳରେ ଓଡ଼ିଶାର କଳା, ସଂସ୍କୃତି ତଥା ଓଡିଶାର କଥାବସ୍ତକୁ ନେଇ ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ର ପୁରସ୍କାର ପାଇବା ପ୍ରକ୍ରିୟାରୁ ବାଦ୍ ପଡୁଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ଚୟନ କମିଟିରେ ବେଆଇନ ଭାବେ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ସ୍ଥାନିତ କରାଯାଇଛି। ଫଳରେ ସେମାନେ ତାଙ୍କ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ଏଣୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ପୁଣି ଥରେ କରିବାକୁ ହାଇକୋର୍ଟ ଆଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ପ୍ରକାଶ ଯେ ୨୦୧୯-୨୦ ବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ସିନେମା ନିମନ୍ତେ ୨୭ଟି ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି।

ଆସନ୍ତା ୧୪ ତାରିଖରେ ଏସବୁ ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯିବ। ତେବେ ପୁରସ୍କାର ଚୟନ ପ୍ରକ୍ରିୟା ନିରପେକ୍ଷ ଭାବେ କରାଯାଇନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।