ରାଉରକେଲା,ଏନ୍ଏନ୍ଏସ୍: ଆଜି ଠାରୁ ଆରମ୍ଭ ହେବ ଏଫଆଇଏଚ ପ୍ରୋ ଲିଗ । ପ୍ରଥମ ମ୍ୟାଚରେ ବିଶ୍ବ ଚମ୍ପିଆନ ଜର୍ମାନୀକୁ ଭେଟିବ ଭାରତ । ନୂଆ ପ୍ରଶିକ୍ଷକ କ୍ରେଗ ଫଉଲଟନଙ୍କ ତତ୍ତ୍ବାବଧାନରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରୋ ଲିଗ୍ର ପ୍ରଥମ ମ୍ୟାଚରେ ଜର୍ମାନୀ ସହ କଡା ମୁକାବିଲା କରିବାକୁ ନୂଆ ରଣନୀତି ସହିତ ମୈଦାନକୁ ଓହ୍ଲାଇବା ନେଇ ନିଜକୁ ପୁରା ପ୍ରସ୍ତୁତ କରିଛନ୍ତି ଭାରତୀୟ ଦଳର ଖେଳାଳୀ । ସନ୍ଧ୍ୟା ୭ଟା ସମୟରେ ଆରମ୍ଭ ଏହି ହାଇ ଭୋଲଟେଜ ମ୍ୟାଚ ।
ତେବେ ପ୍ରୋ ଲିଗରେ ଜର୍ମାନୀ, ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ମୋଟ ୬ଟି ମ୍ୟାଚ ହେବ । ପରସ୍ପର ବିରୋଧରେ ୨ଟି ଲେଖାଏଁ ମ୍ୟାଚ ଖେଳିବେ । ପ୍ରଥମ ମ୍ୟାଚରେ ଜର୍ମାନୀ ଓ ଭାରତ ମଧ୍ୟରେ ମୁକାବିଲା ହେବ। ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ପ୍ରୋ ଲିଗକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଶ୍ବକପରେ ଭାରତର ପ୍ରଦର୍ଶନ ଏତେଟା ଭଲ ନଥିବାରୁ ପ୍ରୋ ଲିଗରେ ବିଜୟୀ ହେବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବ । ହକି ବିଶ୍ବକପର ମଜା ଉଠାଇବା ପରେ ଏବେ ପ୍ରୋ ଲିଗ ମ୍ୟାଚ ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ହକି ପ୍ରେମୀ ।