ଇସ୍ରାଏଲ-ପାଲେଷ୍ଟାଇନ୍ ମଧ୍ୟରେ ଲଢ଼େଇ : ପାଲେଷ୍ଟାଇନର ୫୩ ନାଗରିକ ମୃତ

ଜେରୁଜେଲମ୍,ଏଜେନ୍ସି: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦରୁ ଏବେ ଭୟଙ୍କର ସଂଘର୍ଷର ସୂତ୍ରପାତ ହୋଇଛି। ବୁଧବାର ସୁଦ୍ଧା ପାଲେଷ୍ଟାଇନ୍ର ଆତଙ୍କୀ ସଂଗଠନ ହମାସ୍ ଇସ୍ରାଏଲ ଉପରେ ୩,୦୦୦ ରକେଟ୍ ମାଡ଼ କରିଛି। ଏହାର ଜବାବରେ ଇସ୍ରାଏଲ୍ ତା’ର ସ୍ଥଳସେନା ବ୍ୟବହାର କରିନଥିଲେ ମଧ୍ୟ ଶକ୍ତିଶାଳୀ ବାୟୁସେନା ସାହାଯ୍ୟରେ ପାଲେଷ୍ଟାଇନର ବ୍ୟାପକ ଅଞ୍ଚଳ କ୍ଷେପଣାସ୍ତ୍ର ମାଡ଼କରି ଧ୍ୱଂସ କରିଦେଇଛି। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଇସ୍ରାଏଲର ୬ ଏବଂ ପାଲେଷ୍ଟାଇନର ୫୩ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିଯୋଗୁଁ ପଶ୍ଚିମ ଏସିଆରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ କହିଛନ୍ତି, ଆମର ସେନାର ଗାଜା ଅଞ୍ଚଳରେ ଏବଂ ପାଲେଷ୍ଟାଇନ୍ରେ ହମ୍ଲା ବନ୍ଦ ହେବନାହିଁ। ଶତ୍ରୁପକ୍ଷ ନିରବ ନପଡ଼ିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ। ଏହାପରେ ଯାଇ ଶାନ୍ତି ପ୍ରକ୍ରିୟା ପାଇଁ କିଛି ଉପାୟ କରାଯିବ। ସେ କହିଛନ୍ତି, ଆମେ ହମାସର ୬ କମାଣ୍ଡରକୁ ମାରିଦେଉଛି। ସେଠାରେ ସବୁ ବଡ଼ ବଡ଼ ଅଟ୍ଟାଳିକା, କାରଖାନାଗୁଡ଼ିକୁ କ୍ଷେପଣାସ୍ତ୍ର ମାଡ଼କରି ନଷ୍ଟ କରିଦିଆଯାଇଛି।
ଇସ୍ରାଏଲ ସେନାର ଜଣେ ମୁଖପାତ୍ର କହିଛନ୍ତି, ଆମର ସେନା ଅଧିକାରୀ ଏବଂ ଯବାନମାନେ ଏପର୍ଯ୍ୟନ୍ତ ଅସ୍ତ୍ରବିରତି ସପକ୍ଷରେ ନୁହନ୍ତି। ଆମେ ଦୀର୍ଘ ସମୟ ଲଢ଼ିବା ପାଇଁ ପ୍ରସ୍ତୁତ ରହିଛୁ। ଅନ୍ୟପକ୍ଷରେ ହମାସର ନେତା ହାନିୟା କହିଛନ୍ତି, ଇସ୍ରାଏଲ ଯଦି ଯୁଦ୍ଧ ବଢ଼ାଇବାକୁ ଚାହୁଁଛି ତା’ ହେଲେ ଆମେ ମଧ୍ୟ ଏହା ବନ୍ଦ ହେଉ ବୋଲି ଚାହୁଁନାହୁଁ।