ମାନ୍ଦାବସ୍ଥାର ମୁକାବିଲା ପାଇଁ ସବୁକ୍ଷେତ୍ର ସହ ପରାମର୍ଶ କରାଯାଉଛି: ସୀତାରମଣ

ନୂଆଦିଲ୍ଲୀ: ସାଂପ୍ରତିକ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ. ମନମୋହନ ସିଂ ଦେଇଥିବା ମନ୍ତବ୍ୟକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ମତ ରଖିଛନ୍ତି। ଅର୍ଥନୀତିକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ମାନବକୃତ ଏବଂ ମୋଦୀ ସରକାରଙ୍କ ପରିଚାଳନା ବ୍ୟବସ୍ଥା ସବୁ ଦୃଷ୍ଟିରୁ ବିଫଳ ହୋଇଛି ବୋଲି ଡ. ସିଂ ପ୍ରକାଶ କରିବା ପରେ ରବିବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ମାନ୍ଦାବସ୍ଥାର ମୁକାବିଲା ସହିତ ବିଭିନ୍ନ କ୍ଷେତ୍ରରେ ଦେଖାଯାଇଥିବା ସ୍ଥିତିରେ ପରିବର୍ତ୍ତନ ଆଣିବା ନେଇ ସରକାର ପଦକ୍ଷେପ ନେଉଛନ୍ତି। ଏହାଛଡ଼ା ବିଭିନ୍ନ କ୍ଷେତ୍ର ସହ ଆଲୋଚନା ଜାରି ରହିଛି ଏବଂ କେତେକ କ୍ଷେତ୍ରର ଅଭିବୃଦ୍ଧି ସୂଚକାଙ୍କରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଛି। କେତେକ ପ୍ରମୁଖ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ପାଇଁ ଚଳିତ ମାସ ୨୩ ତାରିଖରେ ଯେଉଁ ବହୁମୁଖୀ ନିଷ୍ପତ୍ତି ନିଆଯାଇଛି ତାହା ଆଗାମୀ ଦିନରେ ସୁଫଳ ଆଣି ଦେବ ବୋଲି ସୀତାରମଣ କହିଛନ୍ତି। ଜିଏସ୍ଟିକୁ ନେଇ ରହିଥିବା ଦାବି ସମ୍ପର୍କରେ ଖୁବ୍ଶୀଘ୍ର ଜିଏସ୍ଟି କାଉନସିଲ୍ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ତେବେ ଡ. ମନମୋହନ ସିଂଙ୍କ ମନ୍ତବ୍ୟକୁ ନେଇ ସେ କୌଣସି ଟିପ୍ପଣୀ ଦେବାକୁ ଚାହୁଁ ନାହାନ୍ତି ବୋଲି କହିଥିଲା ବେଳେ ଅର୍ଥନୀତି ବ୍ୟବସ୍ଥାକୁ ରାଜନୀତିକ ବିରୋଧ ବଳୟରେ ଅନ୍ତର୍ଭୁକ୍ତ କରାନଯାଇ ଏ ସମ୍ପର୍କରେ ଅଧିକ ବୁଝାମଣା କରାଯିବା ଉଚିତ୍ ବୋଲି କହିଛନ୍ତି। ମୋଦୀ ସରକାରଙ୍କ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ କଂଗ୍ରେସ ଦଳ ପକ୍ଷରୁ ତାଚ୍ଛଲ୍ୟ କରାଯାଇଥିବା ବେଳେ ବିଗତ ଦିନରେ ଦର ନିୟନ୍ତ୍ରଣ କରିପାରିନଥିବା ଏବଂ ଦୁର୍ନୀତିକୁ ଅଗ୍ରାଧିକାର ଦେଇଥିବା କଂଗ୍ରେସ ଦଳ ଫିଟ୍ କିମ୍ବା ଅନ୍ଫିଟ୍ ବାବଦରେ କିଛି କହିବା ଉଚିତ୍ ନୁହେଁ ବୋଲି ସୀତାରମଣ କହିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମିଶ୍ରଣକୁ ନେଇ ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ବିରୋଧାଭାସ ପ୍ରକାଶ ପାଇଥିବା ବେଳେ ଏ ସମ୍ପର୍କରେ ସେ କହିଛନ୍ତି ଯେ, ବ୍ୟାଙ୍କଗୁଡିକର ମିଶ୍ରଣର ଅର୍ଥ ନୁହେଁ ଯେ କୌଣସି ବ୍ୟାଙ୍କକୁ ବନ୍ଦ କରିଦେବା। କୌଣସି ବ୍ୟାଙ୍କ କିଛି ନୂଆ କରିବାକୁ ଯାଉ ନାହାନ୍ତି, ବରଂ ସେମାନେ ଯାହା କିଛି କରୁଥିଲେ ବର୍ତ୍ତମାନ ମଧ୍ୟ ଅନୁରୂପ କାର୍ଯ୍ୟ କରିବେ। କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ସହିତ ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଯୋଗାଇ ଦିଆଯାଇଥିବା ପାଣ୍ଠିରେ ବ୍ୟାଙ୍କଗୁଡିକ ନିଜର ସ୍ଥିତିରେ ପରିବର୍ତ୍ତନ ଆଣିପାରିବେ ବୋଲି ସେ କହିଛନ୍ତି।