ଫିଫା ବିଶ୍ୱକପ୍‌: ୩୬ ବର୍ଷ ପରେ କାନାଡାକୁ ଯୋଗ୍ୟତା

ଟରଣ୍ଟୋ,ଏଜେନ୍ସି: ଚଳିତ ବର୍ଷ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ୍‌ରେ ଭାଗନେବା ସକାଶେ ରବିବାର କାନାଡା ଯୋଗ୍ୟତା ପାଇଛି। ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ଏହି ଦଳ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ। ଶେଷ ଥର ପାଇଁ ଦଳ ଗତ ୧୯୮୬ରେ ମେକ୍ସିକୋରେ ଖେଳାଯାଇଥିବା ସଂସ୍କରଣରେ ଏହି ଦଳ ଭାଗନେଇଥିଲା। ଦଳ ଜାମାଇକା ବିପକ୍ଷ ମ୍ୟାଚ୍‌ରେ ୪-୦ରେ ଜିତିବା ପରେ ମିଡ୍‌ଫିଲ୍‌ଡର୍ ଜୋନାଥନ୍ ଓସୋରିଓ କହିଛନ୍ତି ଯେ ଖୁସି ବର୍ଣ୍ଣନା କରିବା ପାଇଁ ପାଖରେ ଭାଷା ନାହିଁ। ଫୁଟ୍‌ବଲ୍ ସହ ଜଡ଼ିତ ହେବା ଦିନଠାରୁ ଆମେ କିପରି ବିଶ୍ୱକପ୍‌ରେ ଖେଳିପାରିବୁ ସେନେଇ ସ୍ୱପ୍ନ ଦେଖିଆସୁଥିବା ବେଳେ ଏବେ ତାହା ସାକାର ହୋଇଛି।

ଏକଦା ବିଶ୍ୱକପ୍ ଯୋଗ୍ୟତା ମିଳିବା ଅସମ୍ଭବ ବୋଲି ମନେ ହେଉଥିଲେ ମଧ୍ୟ ଏବେ ତାହା ସମ୍ଭବପର ହୋଇପାରିଛି। ଏହି ଅନୁଭୂତି ଅବର୍ଣ୍ଣନୀୟ ବୋଲି ଓସୋରିଓ କହିଛନ୍ତି। କତାର ହେବାକୁ ଥିବା ବିଶ୍ୱକପ୍ ସକାଶେ ଗତ ସପ୍ତାହରେ କାନାଡା ପାଖରେ ସୁଯୋଗ ଥିଲା। କିନ୍ତୁ ଦଳ କୋଷ୍ଟାରିକାଠାରୁ ପରାସ୍ତ ହେବା ଫଳରେ ଦଳର ଏହି ଆଶା ବିଳମ୍ବିତ ହୋଇଥିଲା। ଘରୋଇ ଦର୍ଶକଙ୍କ ଉତ୍ସାହ ମଧ୍ୟରେ କାନାଡା ଜାମାଇକାକୁ ପରାସ୍ତ କରିଥିବା ବେଳେ ନିଜ ନିଜ ମୁକାବିଲାରେ ବିଜୟୀ ହୋଇଥିଲେ ମଧ୍ୟ ଆମେରିକା, ମେକ୍ସିକୋ ଓ କୋଷ୍ଟାରିକାକୁ ବିଶ୍ୱକପ୍ ଯୋଗ୍ୟତା ସକାଶେ ଅପେକ୍ଷା କରିବାକୁ ପଡ଼ିଛି। ଜାମାଇକାକୁ ପରାସ୍ତ କରିବା ପରେ ସ୍ଥାନୀୟ ଦର୍ଶକ ନିଜ ଦେଶର ଜାତୀୟ ସଙ୍ଗୀତ ଗାନ କରିବା ସହ ଓସୋରିଓ ଓ ସାଥୀ ଖେଳାଳିମାନେ ପଡ଼ିଆରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।