- ଭୁବନେଶ୍ୱର: ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ସରକାର। କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ବୈଠକ ପାଇଁ ଡାକରା ଦିଆଯାଇଥିବା ସୂଚନା ମିଳିଛି। ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ପୂଜାକୁ ନେଇ ଲାଗି ରହିଛି ବିବାଦ। ଏମିତିକି ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ବିରୋଧ କରିଥିଲା କଟକ ନଗର ବିଜେପି। ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବାବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗାଯାଉଛି? ସରକାରଙ୍କ ଏପରି ଅଜବ କଟକଣା ପ୍ରତିବାଦରେ ସେପ୍ଟେମ୍ବର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ବିଜେପି।
- କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ କହିବା ଅନୁସାରେ ଦୁର୍ଗା ପ୍ରତିମାଙ୍କ ଉଚ୍ଚତା ୪ ଫୁଟରେ ସୀମିତ ଓ ପରଦା ଭିତରେ ରଖି ପୂଜା କରିବା ପାଇଁ ରାଜ୍ୟ ସରକାର ପାର୍ବଣ ଗାଇଡଲାଇନରେ ଦର୍ଶାଇଛନ୍ତି। ଏହା ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ହଜାରେ ବର୍ଷର ପରମ୍ପରା ଓ ଐତିହ୍ୟର ସହର କଟକର କୋଣ ଅନୁକୋଣରେ ପ୍ରତିବାଦର ସ୍ୱର ତୀବ୍ରତର ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ଶ୍ରୀ ବଡୁ କହିଛନ୍ତି।