ସାର ନିଅଣ୍ଟ: ଚାଷୀଙ୍କ ଚାହିଦା ମେଣ୍ଟାଇ ପାରୁନି ବିଭାଗ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାରେ ଚାଷୀଙ୍କୁ ଆବଶ୍ୟକ ସାର ଯୋଗାଇ ପାରୁନି ବିଭାଗ। ଆଜି ରାୟଗଡା ସହରରେ ଥିବା ଲାମ୍ପ୍ସ ଗୋଦାମ ଗୃହ ସମ୍ମୁଖରେ ଶତାଧିକ ଚାଷୀ ସାର ନେବାକୁ ଆସି ଘଣ୍ଟାଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ସାର ମିଳିନଥିଲା। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ବଜାରରେ ସାର ଉପରେ ସରକାରୀ ରିହାତି ମିଳୁନଥିବାରୁ କ୍ଷୁଦ୍ର ଓ ନାମମାତ୍ର ତଥା ମଧ୍ୟମ ବର୍ଗ ଚାଷୀ ଏହି ଲାମ୍ପ୍ସ ଉପରେ ନିର୍ଭର କରନ୍ତି। ରାୟଗଡା ସଦର ବ୍ଲକ ୨୮ଟି ପଞ୍ଚାୟତର ଚାଷୀ ଏଠାକୁ ସାର ନେବାପାଇଁ ଆସିଥାନ୍ତି। ଜମିର ପରିମାଣ ଅନୁଯାୟୀ ୪ ରୁ ଅଧିକ ପ୍ୟାକେଟ ସାର ଅବଶ୍ୟକ କରୁଥିବାବେଳେ ଚାଷୀଙ୍କୁ ଗୋଟିଏ କିମ୍ବା ଦୁଇଟି ପ୍ୟାକେଟ ଦିଆଯାଉଛି। ରାୟଗଡ଼ା ବ୍ଲକ ପାଇଁ ବାର୍ଷିକ ହାରାହାରି ୨୫୦୦ କ୍ୱିଣ୍ଟାଲ ସାର ଆବଶ୍ୟକ ରହିଥିବାବେଳେ ବିଭାଗ ପକ୍ଷରୁ ୧୮୦୦ କ୍ୱିଣ୍ଟାଲ ଯୋଗାଇ ଦିଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରାୟଗଡା ଜିଲ୍ଲାକୁ ବାର୍ଷିକ ୩୨,୩୫୦ମେଟ୍ରିକ ଟନ୍ ସାର ଆବଶ୍ୟକ ଥିବାବେଳେ ଜିଲ୍ଲାରେ ମହଜୁଦ ରହିଛି ୨୦,୧୩୭ ମେଟ୍ରିକ ଟନ୍ ସାର।  ମାର୍କଫେଡ ଜରିଆରେ ଜିଲ୍ଲାର ୧୪ଟି ଲ୍ୟାମ୍ପ୍ସକୁ ୬,୨୩୭ଏମଟି ସାର ଯୋଗାଣ ହୋଇଛି। ସେହିପରି ଓଡିଶା କୃଷି ଶିଳ୍ପ ନିଗମରେ୫,୧୪୬ଏମଟି, ଘରୋଇ ସଂସ୍ଥାରେ ୬୯୮୦ଏମଟି ଓ ୧୭୭୩ଏମଟି ସାର ଗୋଦାମରେ ମହଜୁଦ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।