ମାଲକାନଗିରିରେ ମିଳୁନି ସାର: ତୁରନ୍ତ ସମାଧାନ ନହେଲେ କଂଗ୍ରେସ କରିବ ଆନ୍ଦୋଳନ

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ଯୋଗୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବନ୍ୟାରେ ଅନେକ ଚାଷ ନଷ୍ଟ ହୋଇଛି। ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ବର୍ତ୍ତମାନ ସାର ମିଳୁନଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସରକାର, ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ଅବହେଳା ଯୋଗୁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। ବନ୍ୟା ଯୋଗୁ ଚାଷ ଜମିରେ ବାଲିଚର ମାଡ଼ିଯିବା ସହ ଜଳମଗ୍ନ ହୋଇ କେତେକ ସ୍ଥାନରେ ତୋଳି ଧୋଇ ହୋଇଯାଇଛି। ଆଉ କୃଷି ବିଭାଗର ଚରମ ଅବହେଳା ଯୋଗୁ ସାର ବସ୍ତା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ସରକାରୀ କ୍ୟାମ୍ପ ଗୁଡ଼ିକରେ ସାର ମିଳୁନଥିବା ବେଳେ ଘରୋଇ ଭେଣ୍ଡର ଜରିଆରେ ସାର ପ୍ରଦାନ କରାଯାଉଥିବାରୁ ଦିନସାରା ଲମ୍ବା ଲମ୍ବା ଧାଡ଼ି କରି ଅପେକ୍ଷା କରିବା ପରେ ମାତ୍ର ୧୦ କେଜି ସାର ମିଳୁଥିବା ଦେଖାଯାଇଛି। ବାଲିମେଳାଠାରେ ଥିବା ଘରୋଇ ଭେଣ୍ଡର ସାରଗୁଡ଼ିକ କଳାବଜାରୀ ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ୭ ହଜାର ଟନ୍ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୬,୬୦୦ ଟନ ସାର ଆସିଛି। ତଥାପି ଆଉ ୧ ହଜାର ଟନ ସାର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସାର ପହଞ୍ଚିଯିବ ବୋଲି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି।

ସେହିପରି ଯଥାଶୀଘ୍ର ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଚାଷୀଙ୍କୁ ସାର ଯୋଗାଇଦେବାକୁ କଂଗ୍ରେସ ଦାବୀ କରିଛି। ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କଥା କହୁଥିବାବେଳେ ବାସ୍ତବରେ କିନ୍ତୁ ଚାଷୀମାନେ ଅବହେଳାର ଶିକାର ହେଉଛନ୍ତି। ବର୍ତ୍ତମାନ ବିଭିନ୍ନ ଧାନ ଫସଲରେ ରୋଗପୋକ ଆକ୍ରାନ୍ତ ହୋଇଥିବାବେଳେ ଚାଷୀଙ୍କୁ ନିହାତି ଭାବେ ସାରର ଆବଶ୍ୟକତା ରହିଛି। ସେଥିପାଇଁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ପ୍ରକାଶ କରିଛନ୍ତି ।