ବୃନ୍ଦାବନପୁର ଗ୍ରାମରୁ କ୍ଷତାକ୍ତ ଅବସ୍ଥାରେ ମାଈ ହରିଣ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍ ଗୁବୁରାବେଡା ଗ୍ରାମ ନିକଟ ବୃନ୍ଦାବନପୁରର ଏକ ସୂର୍ଯ୍ୟମୁଖୀ ବାଡିରୁ ବୁଧବାର ସକାଳୁ କ୍ଷତାକ୍ତ ଅବସ୍ଥାରେ ଏକ ମାଈ ହରିଣକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ଅନୁସାରେ ହରିଣଟି ପାଖ ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ଯାଉଥିବା ବେଳେ ଗାଁ ନିକଟ ସୂର୍ଯ୍ୟମୁଖୀ ବାଡ଼ିକୁ ପଳାଇ ଆସିଥିଲା।

ହରିଣଟିକୁ କୁକୁର ଆକ୍ରମଣ କରିଥିଲା। ପରେ ଆହତ ଅବସ୍ଥାରେ ହରିଣକୁ ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହରିଣଟିକୁ ଉଦ୍ଧାର କରିଛନ୍ତି। ହରିଣଟିର ପଛ ଗୋଡ଼କୁ କୁକୁର କାମୁଡି ଥିବାରୁ ତାକୁ ରେଞ୍ଜ କାର୍ଯ୍ୟାଳୟକୁ ଆଣି ଚିକିତ୍ସା ଚଳାଇଛି ବନବିଭାଗ। ସୁସ୍ଥ ହେବା ପରେ ହରିଣକୁ ସଂରକ୍ଷିତ ଜଙ୍ଗଲରେ ଛଡା ଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।