ମହାରାଷ୍ଟ୍ର ରାଜନୀତି ସଙ୍କୀର୍ତ୍ତନର ଦହିହାଣ୍ଡି ଭଙ୍ଗାହେବ ଆସନ୍ତାକାଲି !

ଗତ ୨୩ ତାରିଖ ଶନିବାର ସମସ୍ତ ସକାଳ ଖବରକାଗଜରେ ହେଡଲାଇନ ଥିଲା ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ। କିନ୍ତୁ ଅତ୍ୟନ୍ତ ନାଟକୀୟ ଭାବେ ସେହି ଦିନ ସକାଳ ୮ଟା ବେଳକୁ ସମସ୍ତ ନ୍ୟୁଜ ଚାନେଲ ଓ ସୋସିଆଲ ମିଡିଆଗୁଡିକରେ ଖବର ଆସିଲା ଫଡନାଭିସ୍ ପୁଣି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ। ସକାଳୁ ସକାଳୁ ପ୍ରିଣ୍ଟ ମିଡିଆ ଓ ଇଲୋକ୍ଟ୍ରୋନିକ୍ସ ମିଡିଆକୁ ନେଇ ଜନସାଧାରଣ କିଛି ସମୟ ପାଇଁ ଦ୍ୱନ୍ଦରେ ରହିଲେ। ଆଖିରୁ ନିଦ ଛାଡିନଥିବାବେଳେ ଏପରି ଖବରକୁ ନେଇ ହୋସ୍ ଉଡିଯାଇଥିଲା ଲୋକଙ୍କର। ଏ କି ପ୍ରକାରର ରାଜନୀତି ! ରାତି ଅଧିଆ ବଦଳି ଯାଉଛି ସବୁକିଛି। ହତାଠ୍ ଏପରି ସକାଳୁ ସକାଳୁ କେହି କିଛି ବୁଝିବା ପୂର୍ବରୁ ବଦଳି ଯାଇଥିଲା ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ। ୨୪ ପ୍ରହର ଧରି ଚାଲିଲା ରାଜନୀତିର ସଙ୍କୀର୍ତ୍ତନ। ଆଉ ଆଜି ନାଟକର ଯବନିକା ପଡିଲା ପରି ଲାଗୁଛି। କିନ୍ତୁ ଏହି ସଙ୍କୀର୍ତ୍ତନର ପୂର୍ଣ୍ଣାହୁତି ସହ ଦହିହାଣ୍ଡି ଭଙ୍ଗାହେବ ଆସନ୍ତାକାଲି। ଆଉ ଜଣାପଡିବ କିଏ ଏହି ସଙ୍କୀର୍ତ୍ତନର କର୍ତ୍ତା କିଏ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମହାରାଷ୍ଟ୍ରରେ ଫ୍ଲୋରଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ବିରୋଧୀ ରାଜନୈତିକ ଦଳଗୁଡ଼ିକର ଯୁକ୍ତି ଶୁଣିବା ପରେ ବୁଧବାର ଅପରାହ୍ଣ ୫ ସୁଦ୍ଧା ମହାରାଷ୍ଟ୍ର ସରକାରଙ୍କୁ ଫ୍ଲୋରଟେଷ୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ଏନଭି ରମାନା, ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ବିଧାୟକମାନେ ଶପଥ ଗ୍ରହଣ କରି ନଥିବାରୁ ନଭେମ୍ବର ୨୭ ସୁଦ୍ଧା ତୁରନ୍ତ ଫ୍ଲୋରଟେଷ୍ଟ ହୋଇଯିବା ଦରକାର। ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିବାକୁ ଖଣ୍ଡପୀଠ ଆଦେଶ ପ୍ରଦାନ କରିଛନ୍ତି। ଫ୍ଲୋର୍ଟେଷ୍ଟର ଲାଇଭ୍ ଟେଲିକାଷ୍ଟ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ତେବେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ତାଙ୍କ ପରେପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ମଧ୍ୟ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ଅଛି।

ଇତିମଧ୍ୟରେ ଶିବସେନା-କଂଗ୍ରେସ-ଏନସିପି ପ୍ରତିନିଧିଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଆନୁଷ୍ଠାନିକ ଭାବେ ଦାବି ଜଣାଇବାକୁ ଯାଉଥିଲାବେଳେ ରାଜ୍ୟ ରାଜନୀତିରେ ଏହି ନାଟକୀୟ ପରିବର୍ତ୍ତନ ଏହି ଦଳକୁ ଉତ୍ସାହିତ କରିଛି। ଉଭୟ ଦେବେନ୍ଦ୍ର ଫଡନାବିସ ଓ ଅଜିତ ପାୱାର ଇସ୍ତଫା ପ୍ରଦାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା କେସି ବେନୁଗୋପାଲ କହିଛନ୍ତି, ‘ଏହା ସାମ୍ବିଧାନିକ ଗଣତନ୍ତ୍ରର ବିଜୟ। ଘୋଡ଼ାବେପାର କରି ସେମାନେ ସରକାର ଗଠନ କରିବାକୁ ଭାବୁଥିଲେ। ଏହା କେବଳ ଦେବେନ୍ଦ୍ର ଫଡନାବିସଙ୍କ ବିଫଳତା ନୁହେଁ, ଦିଲ୍ଲୀରେ ବସିଥିବା ତାଙ୍କ ମାଷ୍ଟରଙ୍କ ମୁହଁରେ ଚାପୁଡ଼ା ବାଜିଛି।’

ସୁପ୍ରିମକୋର୍ଟଙ୍କ ରାୟ ବିଜେପି-ଅଜିତ ପାୱାର ମେଣ୍ଟକୁ ଶକ୍ତ ଚାପୁଡ଼ା ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯେୱାଲା ଟ୍ୱିଟ୍ କରିଛନ୍ତି। ସେ ପୁଣି ଦର୍ଶାଇଛନ୍ତି, ଫ୍ଲୋରଟେଷ୍ଟକୁ ଏଡ଼ାଇବା ପାଇଁ ଚାଲିଥିବା ହୀନ କାରସାଦି ଧରାପଡ଼ିଯାଇଛି। ଏହାପୂର୍ବରୁ ଏନସିପି ବିଧାୟକ ଦଳର ନେତା ପଦରୁ ଅଜିତ ପାୱାରଙ୍କୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ନିଯୁକ୍ତ କରାଯାଇଛି। ଏନସିପି ପ୍ରତିଷ୍ଠାତା ଶରଦ ପାୱାର ମଧ୍ୟ ଗଣମାଧ୍ୟମକୁ ଜଣାଇ ଦେଇଥିଲେ ଯେ ତାଙ୍କ ପୁତୁରା ଅଜିତ ପାୱାର ପାର୍ଟି ଲାଇନକୁ ଉଲ୍ଲଙ୍ଘନ କରି ବିଜେପି ସହ ମେଣ୍ଟ କରିଛନ୍ତି। ଅଜିତଙ୍କ କାର୍ଯ୍ୟଧାରା ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ସୋମବାର ଏନସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ, ଶିବସେନା ନେତା ଏକନାଥ ସିନ୍ଦେ, କଂଗ୍ରେସ ନେତା ପୃଥ୍ୱୀରାଜ ଚୌହ୍ୱାନଙ୍କ ସମେତ ଅନ୍ୟ ବିଧାୟକମାନେ ରାଜଭବନରେ ପହଞ୍ଚ ୧୬୨ ବିଧାୟକଙ୍କ ସମର୍ଥନ ଥିବା ଚିଠି ପ୍ରଦାନ କରିଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ ଆସନ ଦଖଲ କରିଥିବା ବେଳେ ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ ଆସନ ଦଖଲ କରିଛନ୍ତି।