ନୂଆଦିଲ୍ଲୀ : କରୋନା ଭାଇରସ ବୃଦ୍ଧି ପାଉଥିବା ଦୃଷ୍ଟିରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବେଶୀ ସଂଖ୍ୟାରେ ଲୋକଙ୍କ ସମାବେଶ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ଭାରତୀୟ ସେନା ରଖି କରୋନା ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅଣ ଜରୁରୀ ସାମୁହିକ କାର୍ୟ୍ୟକ୍ରମର ଆୟୋଜନ ନ କରିବାକୁ ନିଷ୍ପତି ଗ୍ରହଣ କରିଥିବା ବେଳେ ଉନ୍ନତ ସ୍ୱାସ୍ଥ୍ୟ ସେବାକୁ ନେଇ ଆବଶ୍ୟକ ପଦେକ୍ଷପ ନେଇଥିବା ଜଣା ପଡିଛି ।
କରୋନା ଭାଇରସ ସମ୍ପର୍କରେ ସରକାର ଦେଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଭାରତୀୟ ସେନା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପରିସ୍ଥିତି ସୁଧାରିବା ପର୍ୟ୍ୟନ୍ତ ସମସ୍ତ ପ୍ରକାରର ଅନାବଶ୍ୟକ ଜନ ଉତ୍ସବକୁ ବାରଣ କରାଯାଇଛି । ସେହିପରି ସମସ୍ତ ସାମରିକ ଷ୍ଟେସନରେ ସ୍ୱାସ୍ଥ୍ୟ ସୂଚନା ଏବଂ ଶିକ୍ଷା ସମ୍ବନ୍ଧୀୟ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ମୁଖପାତ୍ର କହିଛନ୍ତି ଯେ ଭାଇରସ ବିସ୍ତାରକୁ ରୋକିବା ପାଇଁ ସାମରିକ ଡାକ୍ତରଖାନାରେ ସ୍କ୍ରିନିଂ ପାଇଁ ଅଲଗା ଓପିଡି ଏବଂ ଆଇସୋଲେସନ ୱାର୍ଡ ସୃଷ୍ଟି କରାଯିବ । ସାମରିକ ଡାକ୍ତରଖାନା ଏଥିପାଇଁ ସ୍ଥାନୀୟ ମେଡିକାଲ୍ କର୍ତ୍ତୃପକ୍ଷ ଏବଂ ଭାରତୀୟ ଡାକ୍ତରୀ ଅନୁସନ୍ଧାନ ଲାବୋରେଟୋରୀ ସହିତ ମିଶି କାମ କରିବେ ।