ବୁଲୁଛି ଚିତାବାଘ! ଫଟୋ ଭାଇରାଲ ହେବାପରେ କୋକୁଆ ଭୟ ଜିଲ୍ଲା By Nitidin On Oct 20, 2019 Share କେନ୍ଦୁଝର,ଏନ୍ଏନ୍ଏସ୍: ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଚିତାବାଘ ରହିଥିବା ଖବର ଲୋକଲୋଚନକୁ ଆସିଛି। ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଏହି ସଂରକ୍ଷିତ ଜଙ୍ଗଲରେ ଚିତାବାଘ ବୁଲୁଥିବା ଭିଡିଓ ଭାଇରାଲ ହେବାପରେ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଶନିବାର ରାତିରେ ଏକ ଚିତାବାଘ ବୁଲୁଥିବା ଜଣେ ଜବାନ ଦେଖିଥିବା ଦାବି କରିଛନ୍ତି। ଜଙ୍ଗଲର ବଳିପର୍ବତ ଦୈତାରୀ ଘାଟୀ ରାସ୍ତାରେ ଓଆଇଏସଏଫ୍ ଜବାନମାନେ ଯାଉଥିବାବେଳେ ରାସ୍ତାର ଅନତି ଦୂରରେ ଗୋଟିଏ ଚିତାବାଘକୁ ଯବାନ ଜଣକ ଦେଖିଥିବା ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଯବାନ ଚିତାବାଘକୁ ଦେଖି ନିଜ ମୋବାଇଲ୍ରେ ତା’ର ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ। ସେ ଏହି ଫଟୋକୁ ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲେ। ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଚିତାବାଘ ବୁଲୁଥିବା ଖବର ଶୁଣି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ବାଘ ଦେଖା ଦେଇଥିବା ଅଞ୍ଚଳ ସମେତ ଅନ୍ୟାନ୍ୟ ସ୍ଥାନରେ ପାଟ୍ରୋଲିଂ କରିଥିଲେ ମଧ୍ୟ ବାଘକୁ ଠାବ କରିପାରିନାହାନ୍ତି। ବାଘ ଦେଖିଥିବା ଯବାନ ଜଣକ ଭିଡିଓଟିକୁ ଭାଇରାଲ କରିବା ପରେ ତାଙ୍କ ମୋବାଇଲରୁ ଏହାକୁ ଏବେ ଡିଲିଟ୍ କରିଦେଇଥିବା ଜଣାପଡିଛି। ଅପରପକ୍ଷରେ ଭାଇରାଲ ହୋଇଥିବା ଭିଡିଓରେ ଦୃଶ୍ୟମାନ ଜନ୍ତୁଟି ଚିତାବାଘ ନୁହେଁ ଏହା ଏକ ଜଙ୍ଗଲୀ ବିଲେଇ ବୋଲି କେତେକ କହୁଛନ୍ତି। ତେବେ ଅଞ୍ଚଳରେ ବାଘ ବୁଲୁଥିବା କଥା ପ୍ରଚାର ହେବା ପରେ ଦୈତାରୀ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ଗାଁଗୁଡିକରେ ଭୟର ବାତାବରଣ ଖେଳିଯାଇଛି। Share