ଏଫସିଆଇର ଘରୋଇକରଣ ବିରୋଧରେ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନକ୍ରମେ ଆଜି ଝାରସୁଗୁଡା ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଝାରସୁଗୁଡାସ୍ଥିତ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ଚାଷ ଓ ଚାଷୀ ପ୍ରତି ବୈମାତୃକ ମନୋଭାବ ଆପଣାଇ ଭାରତୀୟ ଖାଦ୍ୟ ନିଗମକୁ ଘରୋଇକରଣ କରିବାର ଯୋଜନା କରୁଛନ୍ତି। ଖାଦ୍ୟ ନିଗମ ଦେଶର ଚାଷୀଙ୍କଠାରୁୂ ଉତ୍ପାଦିତ ହୋଇଥିବା ଶସ୍ୟକୁ କ୍ରୟ କରି ମହଜୁଦ ରଖିବାସହ ଆବଶ୍ୟକ ସମୟରେ ଲୋକଙ୍କୁ ଯୋଗାଇଥାଏ । ଏହିପରି ଏକ ସରକାରୀ ଅନୁଷ୍ଠାନକୁ ଘରୋଇକରଣ ପାଇଁ ଉଦ୍ୟମ କରିବା ଦେଶର ଚାଷୀ ତଥା ଜନତାଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। କାରଣ ଦେଶର ଭଣ୍ଡାର ଘର ହେଉଛି ଏଫସିଆଇ ଏବଂ ସରାକାର ଏଫସିଆଇ ନୁହେଁ ବରଂ ଦେଶର ଭଣ୍ଡାର ଘର ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି। ତେଣୁ ସରକାର ଏଫସିଆଇ ଘରୋଇକରଣକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଏହାସହ ଲାଗୁ କରିଥିବା ୩ଟି ଯାକ କଳା କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ। ନଚେତ ଚାଷୀମାନେ ଦୀର୍ଘ ୪ ମାସରୁ କରୁଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆଗାମୀ ଦିନରେ ବ୍ୟାପକ କରାଯାଇ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଜିଲ୍ଲା କୃଷକ ସଙ୍ଗଠନର ସମ୍ପାଦକ ସୁରନ୍ଦ୍ରେ ସାହୁ, ଅଖିଳ ଭାରତୀୟ କଂଗ୍ରେସ କୃଷକ ସଙ୍ଗଠନର ସଭାପତି ମହେନ୍ଦ୍ର ନାଏକ ପ୍ରମୁଖଙ୍କସହ ଚାଷୀମାନେ ଉପସ୍ଥିତ ଥିଲେ।