ଓଡ଼ିଶା ଫୁଟବଲ କ୍ଲବ୍ ଲୋଗୋରେ କୋଣାର୍କ ଚକ

ଭୁବନେଶ୍ୱର,୧୫ା୯/ଏନ୍ଏନ୍ଏସ୍: ଇଣ୍ଡିଆନ୍ ଫୁଟବଲ ଲିଗରେ ପ୍ରଥମଥର ଓଡ଼ିଶାକୁ ବେସ୍ କରିଥିବା ଏକ କ୍ଲବ୍ ଚଳିତ ସିଜିନରେ ଖେଳିବାକୁ ଯାଉଛି। ଏହି କ୍ଲବ୍ର ନାମ ରହିଛି ଓଡ଼ିଶା ଫୁଟବଲ କ୍ଲବ୍ ଓ ଏହାର ମାଲିକାନା ରହିଛି ଦିଲ୍ଲୀ ସକ୍କର ପ୍ରାଇଭେଟ ଲିମିଟେଡ ପାଖରେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ଟିମ୍ ର ଘରୋଇ ଗ୍ରାଉଣ୍ଡ୍ ରହିବ ଏବଂ ଓଡ଼ିଶା ସରକାର ଏଠାରେ ଥିବା ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇଦେବେ।

ଏଥିଲାଗି ଗତ ମାସରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ରାଜିନାମା ହୋଇଥିଲା। ଏହି ରାଜିନାମା ଅନୁଯାୟୀ ରବିବାର ଏହାର ଲୋଗୋ ଉନ୍ମୋଚନ କରାଯାଇଛି। ଓଡ଼ିଶାର କଳା ସଂସ୍କୃତିର ପ୍ରତୀକ ଭାବେ କୋଣାର୍କର ସୂର୍ଯ୍ୟମନ୍ଦିରରେ ଥିବା ଚକ୍ରକୁ ଏଥିରେ ସ୍ଥାନିତ କରାଯାଇଛି। ଏହା ବ୍ୟତୀତ କ୍ଲବ୍ ର ସ୍ଲୋଗାନ୍ ‘ଆମ ଟିମ୍ ଆମ ଗେମ୍’ ମଧ୍ୟ ଏଥିରେ ସ୍ଥାନ ପାଇଛି।

ଏହି ଅବସରରେ କ୍ଲବ୍ ନିର୍ଦ୍ଦେଶକ ରୋହନ ଶର୍ମାଙ୍କ ମତରେ ଆମେ ପ୍ରଥମଥର ଓଡ଼ିଶାର ଲୋକଙ୍କ ସହ ଯୋଡି ହୋଇଛୁ। ଓଡ଼ିଶା ଏକ ରଙ୍ଗୀନ ରାଜ୍ୟ ଏବଂ ଏଠାରେ କ୍ରୀଡ଼ାକୁ ଭଲ ପାଉଥିବା ଅନେକ ଲୋକ ରହୁୁଛନ୍ତି। ଏମାନଙ୍କ ଉନ୍ନତି କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ଶର୍ମା କହିଛନ୍ତି। ଇଣ୍ଡିଆନ୍ ସୁପର ଲିଗ୍ ର ଷଷ୍ଠ ସଂସ୍କରଣ ଅକ୍ଟୋବର ୨୦ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କଳିଙ୍ଗ ଷ୍ଟାଡିୟମ୍ ରେ ଓଡ଼ିଶା ଫୁଟବଲ କ୍ଲବ୍ ୯ଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଥିଲାବେଳେ ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ୍ ଖେଳିବ।