ଦଶମ ଶ୍ରେଣୀ ପୁସ୍ତକରେ ତ୍ରୁଟିପୂର୍ଣ୍ଣ ତଥ୍ୟ, କେରଳର ନଦୀବନ୍ଧକୁ ନେଇ ଓଡ଼ିଶା-ଛତିଶଗଡ଼ ବିବାଦ!

ଚାରିଛକ,ଏନ୍‌ଏନ୍‌ଏସ୍‌: ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଣୀତ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଥିବା କେତେକ ଶିକ୍ଷକ ମତ ପ୍ରକାଶ କରିଛନ୍ତି । ଏହି ତ୍ରୁଟିର ସୁଧାର ପାଇଁ ସାମାଜିକ ସଂଗଠନ “ସ୍ୱାବଲମ୍ବନ’ ଗଣଶିକ୍ଷା ବିଭାଗ ନିକଟରେ ଦାବି କରିଛି । ପ୍ରକାଶ ଥାଉକି ଦଶମ ଶ୍ରେଣୀର ପ୍ରକାଶ ପାଇଥିବା “ସାହିତ୍ୟ ସିନ୍ଧୁ’ ବହିର ପ୍ରଥମ ବିଷୟ ପ୍ରଥମ ପୃଷ୍ଠାରେ ‘ଭୀମଙ୍କ ସିଂହନାଦ ରଡ଼ି’ କବି ପରିଚୟରେ ଶାରଳା ଦାସ ବିଚିତ୍ର ରାମାୟଣ ରଚନା କରିଛନ୍ତି ବୋଲି କୁହାଯାଇଛି ।

ପ୍ରକୃତରେ ବିଶ୍ୱନାଥ ଖୁଣ୍ଟିଆ ଏହାର ରଚୟିତା । ସେହିପରି ଇତିହାସ ଓ ରାଜନୀତି ବିଜ୍ଞାନ ବହିର ୧୩ ପୃଷ୍ଠାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା ୧୯୧୯ରେ ହୋଇଥିବା ଦର୍ଶାଯାଇଥିବା ବେଳେ ସାହିତ୍ୟ ସିନ୍ଧୁ ଓଡ଼ିଆ କଥା ପ୍ରସ୍ତୁତ ସିଲାବସ କମିଟି ପୃଷ୍ଠା ୮୦ରେ ଏହା ୧୯୦୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ଲେଖାଯାଇଛି । ଭୂଗୋଳ ଓ ଅର୍ଥନୀତି ବହିର ପୃଷ୍ଠା ୫୦ରେ ପେରିୟାର ନଦୀବନ୍ଧ କେରଳରେ ଅବସ୍ଥିତ ଥିବାବେଳେ ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ହେବା କଥା ଲେଖାଯାଇଛି । ଏହାର କାରଣ ବୁଝାପଡୁନାହିଁ । ସେହି ବହିର ୫୯ ପୃଷ୍ଠାରେ ଧାତବ ଖଣିଜ ଅଭ୍ର ବିଷୟରେ ପଢ଼ିଲା ବେଳେ ଝାଡଖଣ୍ଡର କୋଦର୍ମା-ଗୟା-ହଜାରିବାଦ ବଳୟ ତମ୍ବା ଉତ୍ପାଦନରେ ଅଗ୍ରଣୀ ବୋଲି ଦର୍ଶାଯାଇଛି । ଅଭ୍ରର ପ୍ରାପ୍ତିସ୍ଥାନ ଉଲ୍ଲେଖ କଲାବେଳେ ତମ୍ବା ଶଦ୍ଦ ଆସିବାର ଉଦ୍ଦେଶ୍ୟ ଜଣାପଡୁନାହିଁ ।

ସେହିପରି ମାନଚିତ୍ରରେ ‘ଗୟା’ ବିହାରରେ ଦର୍ଶାଯାଇଥିବା ବେଳେ ଝାଡ଼ଖଣ୍ଡର କୋଦର୍ମା-ଗୟା ଶବ୍ଦ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ୬୫ ପୃଷ୍ଠାର ବିଦ୍ୟୁତ୍‌ ଶକ୍ତି କେନ୍ଦ୍ର ସାରଣୀ-୧୩ରେ ଦୁର୍ଗାପୁର ଉଭୟ ବିହାର ଓ ପଶିମବଙ୍ଗ, ସିଂଗ୍ରଉଲି ଉଭୟ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଅବସ୍ଥିତି ଲେଖା ହୋଇଥିବା ବେଳେ କୋଲକାତା ଉତ୍ତର ପ୍ରଦେଶରେ ବୋଲି ବର୍ଣ୍ଣିତ ଅଛି । ସେହି ପୃଷ୍ଠାରେ ଜଳ ବିଦ୍ୟୁତ୍ କେନ୍ଦ୍ର କେଉଁ ଜିଲ୍ଲାରେ ଓ କେଉଁ ନଦୀଶଯ୍ୟାରେ ଅବସ୍ଥିତ ଉଲ୍ଲେଖ ହୋଇଥିଲେ ଭଲ ହୋଇଥାନ୍ତା । ଏହିଭଳି କେତେକ ତ୍ରୁଟିକୁ ଅସ୍ତରଙ୍ଗ ସୁରେନ୍ଦ୍ରନାଥ ବିଦ୍ୟାପୀଠର ବରିଷ୍ଠ ସହକାରୀ ଶିକ୍ଷକ ସୁକାନ୍ତ କୁମାର ପରିଡ଼ା ଚିହ୍ନଟ କରିଥିବା ବେଳେ ଅନ୍ୟ ଶିକ୍ଷକମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ତ୍ରୁଟିର ଆଶୁ ସଂଶୋଧନ କରି ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ଜଣାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ “ସ୍ୱାବଲମ୍ବନ’ ତରଫରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପୁସ୍ତକ ସମ୍ପାଦନାମଣ୍ଡଳୀ ଓ ଗଣଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଛି । ଆଗାମୀ ଦିନରେ ଏଭଳି ଅନିଚ୍ଛାକୃତ ତ୍ରୁଟିକୁ ସୁଧାରିବାରେ ସମ୍ପାଦନା ମଣ୍ଡଳୀ ଓ ଗଣଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।