ଚିଲିକା,ଏନ୍ଏନ୍ଏସ୍: ନାଚୁଣୀ ଥାନା ଅଧୀନ ହରିପୁର ଜଙ୍ଗଲରୁ ସୁଟକେସ ଭିତରେ ଶବ ମିଳିବା ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ମୃତ ମନୋରଞ୍ଜନ ମହାପାତ୍ରଙ୍କୁ ତାଙ୍କ ପତ୍ନୀ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଏସମ୍ପର୍କରେ କିଛି ଜାଣିନଥିବା ନେଇ ଅଭିନୟ କରିଥିଲେ । ମାତ୍ର ପୁଲିସ ତାଙ୍କର ସବୁ ଯୋଜନାକୁ ବିଫଳ କରିଥିଲା । ହତ୍ୟାକାଣ୍ଡର ୨୪ ଘଣ୍ଟା ନପୁରୁଣୁ ହତ୍ୟାକାରୀଙ୍କୁ ଗିରଫ କରି ସିନ୍-ରିକ୍ରେସନ୍ କରିବା ପରେ ଅଭିଯୁକ୍ତଙ୍କୁ ନାଚୁଣୀ ପୁଲିସ କୋର୍ଟ ଚାଲାଣ କରିଛି । ଏଭଳି ସ୍ଥିତିରେ ମୃତ ମନୋରଞ୍ଜନ ମହାପାତ୍ରଙ୍କ ପିତା ଗଙ୍ଗାଧର ମହାପାତ୍ର ଆଜି ନାଚୁଣୀ ଥାନାରେ ପହଞ୍ଚି କରି ପୁଅର ନ୍ୟାୟ ପାଇଁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୁଅ ମନୋରଞ୍ଜନକୁ ପ୍ରଲୋଭିତ କରି ମିଲି ଦାସ ପ୍ରେମ ବିବାହ କରିଥିଲା। ବିବାହ ପରେ ବାପା-ମା’ଙ୍କଠାରୁ ପୁଅକୁ ଅଲଗା କରିବା ସହ ସମ୍ପତ୍ତି ଭାଗବଣ୍ଟା ଟଙ୍କାକୁ ଆତ୍ମସାତ କରିବା ପାଇଁ ବୋହୂ ନିଜେ କେତେକଙ୍କ ସହଯୋଗରେ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ପିତା ଦର୍ଶାଇଛନ୍ତି । ଏପରି ନାରୀକୁ ଫାଶୀ ଦଣ୍ଡ ମିଳୁ ବୋଲି କୋହଭରା କଣ୍ଠରେ ବୃଦ୍ଧ ପିତା ଦାବୀ କରିଛନ୍ତି । ଏହାଦ୍ୱାରା ଭବିଷ୍ୟତରେ ଯେପରି କୌଣସି ନାରୀ ତା’ର ସ୍ୱାମୀ ପ୍ରତି ଏଭଳି ଆଚରଣ କରିବାକୁ ସାହସ କରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।