୫ବର୍ଷ ପରେ ନିଖୋଜ ପୁଅକୁ ନେଦରଲ୍ୟାଣ୍ଡରେ ଠାବ କଲା ବାପ

ଓଡ଼ିଶା ରେଡକ୍ରସ ସଂସ୍ଥା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରଚେଷ୍ଟା ସଫଳ

ମାଲକାନଗିରି,ଏନ୍ଏନ୍ଏସ୍: ଦୀର୍ଘ ୫ ବର୍ଷ ତଳେ ବାପ-ପୁଅ ପରସ୍ପରକୁ ହରାଇଥିଲେ। ଆଉ ମାଲକାନଗିରି ଜିଲ୍ଲା ରେଡକ୍ରସ ସହାୟତାରେ ଉଭୟ ଉଭୟଙ୍କୁ ଠାବ କରିବାରେ ସଫଳ ହୋଇଛି। ମାଲକାନଗିରିର ଜଣେ ବ୍ୟକ୍ତି ନିଜର ନିଖୋଜ ପୁଅକୁ ନେଦରଲ୍ୟାଣ୍ଡରେ ଠାବ କରିପାରିଛନ୍ତି ଓ ତାଙ୍କ ସହିତ ଫୋନରେ ମଧ୍ୟ କଥା ହୋଇପାରିଛି।

ଖବର ନେବାରୁ ଜଣାପଡ଼ିଛି ଯେ, ଗତ ୧୯୯୦ ମସିହାରେ ଶ୍ରୀଲଙ୍କାର ବିତାଡ଼ିତ ହୋଇଥିବା ତାମିଲ ଶରଣାର୍ଥୀଙ୍କୁ କେନ୍ଦ୍ର ସରକାର ମାଲକାନଗିରି ଜିଲ୍ଲାରେ ଥଇଥାନ କରିଥିଲେ। ସେ ସମୟରେ ଏଲ୍ଟିଟିଇ ସକ୍ରିୟ ଥିବା ବେଳେ ଶ୍ରୀଲଙ୍କାରେ ଗୃହଯୁଦ୍ଧ ତୀବ୍ରତର ହୋଇଥିଲା। ସେହି ସମୟରେ ପ୍ରାୟ ୬୦ଟି ତାମିଲ ପରିବାର ଭାରତକୁ ଚାଲି ଆସିଥିବା ବେଳେ ସେମାନଙ୍କୁ ମାଲକାନଗିରିସ୍ଥିତ ଡିଏନକେର ରିକ୍ଲାମେସନ କଲୋନୀରେ ଥଇଥାନ କରାଯାଇଥିଲା। ସେଦିନଠାରୁ ସେହି ଅଞ୍ଚଳ ତାମିଲ କ୍ୟାମ୍ପ ନାମରେ ପରିଚିତ। ସେତେବେଳେ କେ. ରବିଚନ୍ଦ୍ରନ ନାମକ ଜଣେ ବ୍ୟକ୍ତି ମଧ୍ୟ ଶ୍ରୀଲଙ୍କାରୁ ଚାଲି ଆସି ମାଲକାନଗିରିରେ ଥଇଥାନ ହୋଇଥିଲେ।

ପରେ ୧୯୯୩ ମସିହାରେ ସେ ଚେନ୍ନାଇ ଏବଂ ସେଠାରୁ ୨୦୧୪ ମସିହାରେ ଶ୍ରୀଲଙ୍କା ଚାଲି ଯାଇଥିଲେ। ତେବେ ସେ ତାଙ୍କ ପୁଅ ସନ୍ ସିଗିଆନଙ୍କୁ ସେଠାରେ ନପାଇ ପରେ ୨୦୧୫ରେ ଭାରତକୁ ଫେରି ଆସିଥିଲେ। ତେବେ ଏଭଳି ସମୟରେ ଚେନ୍ନାଇରେ ସେ ପୁଅର ନିଖୋଜ ରିପୋର୍ଟ ଦେଇଥିଲେ। ତେବେ ପୁଅ ସିଗିଆନ ମଧ୍ୟ ବାପା ରବିଚନ୍ଦ୍ରନଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ ଏବଂ ନେଦରଲ୍ୟାଣ୍ଡଠାରୁ ଇମେଲ ଯୋଗେ ଓଡ଼ିଶା ରେଡକ୍ରସ ସଂସ୍ଥାର ସହାୟତା ନେଇ ଖୋଜିବାକୁ ଅନୁରୋଧ କରିଥିଲେ।

ଓଡ଼ିଶା ରେଡକ୍ରସ ସଂସ୍ଥା ରାଜ୍ୟର ସମସ୍ତ ଶାଖାକୁ ଖବର ଦେବା ପରେ ପିତାଙ୍କୁ ଖୋଜିବା ପ୍ରକ୍ର୍ରିୟା ଆରମ୍ଭ ହୋଇଥିଲା। ତେବେ ବୁଧବାର ଜିଲ୍ଲା ଯୁବ ରେଡ୍କ୍ରସର ସଂଯୋଜକ ଡଃ.ଆଶିଷ ରାଠୋର ଜଣେ ମହିଳାଙ୍କଠାରୁ ଏକ ଫୋନ କଲ ମାଧ୍ୟମରେ ପିତା ରବିଚନ୍ଦ୍ରନ ମାଲକାନଗିରିରରେ ଥିବା ଖବର ପାଇଥିଲେ। ପରେ ଶ୍ରୀ ରୋଠୋର ଏ ବିଷୟରେ ଜିଲ୍ଲା ଯୁବ ରେଡକ୍ରସର ଆବାହକ ରଞ୍ଜନ କୁମାର ସ୍ୱାଇଁଙ୍କୁ ଜଣାଇଥିଲେ। ପରେ ଉଭୟ ରିକ୍ଲାମେସନ କଲୋନୀସ୍ଥିତ ତେଜା ଟେଲରସର ସମ୍ପୃକ୍ତ ମହିଳାଙ୍କ ସହ ସାକ୍ଷାତ କରି ରବିଚନ୍ଦ୍ରନଙ୍କୁ ଠାବ କରିଥିଲେ।

ଆଇନ ଦିଗକୁ ତର୍ଜମା କରି ରବିଚନ୍ଦ୍ରନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟକୁ ଆଣିଥିଲେ। ସେଠାରେ ତାଙ୍କ ପୁତ୍ର ଗତ ୨୦୧୪ ମସିହାରୁ ନିରୁଦ୍ଧିଷ୍ଟ ଥିବା ଜଣାପଡ଼ିଥିଲା। ପରେ ଆଇନ ସେବା ପ୍ରାଧିକରଣର ସଚିବ ଅମରେଶ ନାୟକଙ୍କ ସହାୟତାରେ ରବିଚନ୍ଦ୍ରନ ପୁତ୍ରଙ୍କ ସହ ଭିଡିଓ କଲିଂ ମାଧ୍ୟମରେ କଥା ହେବା ସହ ଉଭୟ ପରସ୍ପରକୁ ଚିହ୍ନିପାରିଥିଲେ। ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଉଭୟଙ୍କ ମିଳନ ଘଟିଥିଲା। ଦୀର୍ଘ ୫ ବର୍ଷ ପରେ ଉଭୟଙ୍କ ମିଳନ କରାଇଥିବା ଉଭୟ ପିତା ଓ ପୁତ ଯୁବ ରେଡକ୍ରସ ଓ ଜିଲ୍ଲା ଆଇନ ସେବା ପ୍ରଧିକରଣକୁ ଧନ୍ୟବାଦ ଅର୍ପଣ କରିଛନ୍ତି।