ଉପରିସ୍ଥ ଅଧିକାରୀଙ୍କ ଚାପରେ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ୍ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁ ଉପରିସ୍ଥ ଅଧିକାରୀଙ୍କ ଚାପ ଓ ଗାଳିଗୁଳଜ ଯୋଗୁ ହୋଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଥାନାରେ ପରିବାର ଲୋକଙ୍କ ଏକ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଜିଲ୍ଲା ବନ ଉନ୍ନୟନ ବିଭାଗର ଡିଭିଜନାଲ ମ୍ୟାନେଜର ଏକେ ପଟ୍ଟନାୟକଙ୍କୁ ପଚରାଉଚୁରା କରୁଥିବା ଝାରସୁଗୁଡ଼ା ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବାସୁଦେବ ପାଲଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ତାଙ୍କ ସାନ ଝିଅ ଲକ୍ଷ୍ମୀପ୍ରିୟା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟେ ବାପାଙ୍କ ମୃତ୍ୟୁ ପାଇଁ ବଡ଼ ଝିଅ ତନୁଜା ପାଲ ଡିଭିଜନଲ ମ୍ୟାନେଜର ଏକେ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ତନୁଜାଙ୍କ କହିବାନୁସାରେ, ଡିଭିଜନାଲ ମ୍ୟାନେଜର ତାଙ୍କ ବାପାଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ଚାକିରରୁ ବାହାର କରିଦେବାର ଭୟ, ବଦଳି ଆଦି ଧମକ ଦେଇ ଆସୁଥିଲେ। ଫଳରେ ଆଜି ଡିଏମଙ୍କ ଅଫିସ ଚେମ୍ବରରେ ବାସୁଦେବ ହଠାତ୍ ସଜ୍ଞାହୀନ ହୋଇ ପଡ଼ିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଏହି ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୀର୍ଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବାସୁଦେବଙ୍କ ଝିଅ ତନୁଜା ପାଲ ଦାବି କରିଛନ୍ତି। ଅନ୍ୟପଟେ ଏନେଇ ଡିଭିଜନାଲ ମ୍ୟାନେଜର ଏକେ ପଟ୍ଟନାୟକଙ୍କୁ ପଚାରିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ବାସୁଦେବ ପୂର୍ବରୁ ମଧ୍ୟ ଅଫିସ ତଥା ଅଫିସ ବାହାରେ ସଜ୍ଞାହୀନ ହୋଇ ପଡୁଥିଲେ। ତେଣୁ ସେ କୌଣସି ଚାପ ସୃଷ୍ଟି କରିନାହାନ୍ତି ବୋଲି କହିଛନ୍ତି।