ମାର୍କେଟ ବିଲ୍ଡିଂ ଉପରେ କଡ଼ା ନଜର, ସିଲ୍ ହେଲା ଫ୍ୟାସନ ସିଟି ସୋରୁମ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପାର୍ବଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାନୂଷ୍ଠାନ ସୂରୁପ ରବିବାର ବିଏମ୍‌ସି ପକ୍ଷରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଥିବା ଫ୍ୟାସନ ସିଟି ସୋରୁମ୍‌କୁ ସିଲ୍ କରାଯାଇଛି । ଏକକାଳୀନ ଏହି ସୋରୁମ୍‌ରେ ୧୫୦-୨୦୦ ଗ୍ରାହକ ଥିଲେ । ଯାହାଦ୍ୱାରା ବିଏମ୍‌ସି ଏହାକୁ ସିଲ୍ କରିଛି । ସହରରେ କଟକଣା କୋହଳ ହେବା ପରେ ଏହା ବ୍ୟବସାୟୀଙ୍କୁ ଅଧିକ ସୁହାଇଛି । କୋଭିଡ୍ ଜନିତ ସମସ୍ତ ଗାଇଡ୍‌ଲାଇନ୍ ମାନି ବ୍ୟବସାୟ କରିବା ପାଇଁ ସୋରୁମ୍ ତଥା ମଲ୍ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ବିଏମ୍‌ସି ପକ୍ଷରୁ ସଚେତନ କରାଯାଉଛି, ହେଲେ କିଛି ସୁଫଳ ମିଳୁନାହିଁ । ବାରମ୍ବାର ବ୍ୟବସାୟୀମାନେ ଏହି ନିୟମ ଉଲ୍ଲଙ୍ଘନ କରୁଥିବାରୁ ବିଏମ୍‌ସି ଛାଟ ବଜାଇବା ଆରମ୍ଭ କରିଛି । ମିଳିଥିବା ସୂଚନା ମୂତାବକ, ବିଏମ୍‌ସି, ବିଡିଏ ଓ କମିଶନରେଟ୍ ପୁଲିସ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମିଳିତ ସ୍କ୍ୱାର୍ଡ ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂକୁ ଭିଡ଼ ଓ ସାମାଜିକ ଦୂରତା ନିୟମ ଯାଞ୍ଚ କରୁଛନ୍ତି । ରବିବାର ଏହି ଗସ୍ତ ସମୟରେ ଫ୍ୟାସନ ସିଟିରେ ଗହଳି ଥିବା ବେଳେ ଏକକାଳୀନ ୧୫୦ରୁ ୨୦୦ ଲୋକ ସାମଗ୍ରୀ କିଣୁଥିଲେ । ଯାହାଫଳରେ ସ୍କ୍ୱାର୍ଡ ଉକ୍ତ ସୋରୁମ୍‌କୁ ସିଲ୍ କରିଥିବା ଜଣାପଡ଼ିଛି ।

ପାର୍ବଣ ଋତୁ ପାଇଁ ଭୁବନେଶ୍ୱରର ପ୍ରତି ମାର୍କେଟ୍‌ରେ ଗହଳି ଆରମ୍ଭ ହୋଇଯାଇଛି । କରୋନାକୁ ବେଖାତିର କରି ଉଭୟ ଦୋକାନୀ ଓ ଗ୍ରାହକ କିଣା ବିକାରେ ମସଗୁଲ ରହୁଛନ୍ତି । ଦିନ କେଇଟା ହେବ ସହରରେ ସଂକ୍ରମଣର ପାରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଯଦି ଏହି ସ୍ଥିତି ଲାଗି ରହେ ତେବେ ରାଜଧାନୀରେ କେରଳ ପରି ପୁଣି ଥରେ ସଂକ୍ରମଣ ଲେଉଟିବାର ଆଶଙ୍କା ଦେଖାଦେଇଛି । ବିଶେଷ କରି ମାର୍କେଟ ବିଲ୍ଡିଂରେ ଖଚାଖଚ୍ ଭିଡ଼ ଯୋଗୁ ସହର ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି । ଲୋକମାନଙ୍କର ଅଜବ ନିତୀ ଓ ଦୋକାନୀଙ୍କ ବେପରୁଆ ମନୋଭାବକୁ ଦେଖିଲେ କରୋନା ଯେମିତି ଶକ୍ତିହିନ ଥିବା ମନେ ହେଉଛି । ତେବେ ପାର୍ବଣ ଋତୁ ପାଇଁ ବିଏମ୍‌ସି ସ୍କ୍ୱାର୍ଡ ଆକ୍ସନ୍ ମୁଡ୍‌ରେ ବୁଲୁଥିବା ବେଳେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ କରୁଥିବା ଦୋକାନ ସିଲ୍ କରାଯାଉଛି । ରବିବାର ଏଠାରେ ଗୋଟିଏ ଦୋକାନ ସିଲ୍ କରାଯାଇଥିବାବ ବେଳେ ବାକି ବ୍ୟବସାୟୀ ଓ ସୋରୁମ୍‌ରେ ବି କୋଭିଡ୍ ଗାଇଡ୍‌ଲାଇନ୍‌ର ଅନୁପାଳନ ହେଉନାହିଁ ମାତ୍ର କେବଳ ତାଙ୍କ ଦୋକାନ ସିଲ୍ ହୋଇଥିବାରୁ ସମ୍ପୃକ୍ତ ଦୋକାନୀଙ୍କ ମଧ୍ୟରେ ଅସନ୍ତୋସ ପ୍ରକାଶ ପାଇଛି ।