ଜାମିନରେ ପଦାକୁ ଆସିଲେ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ

ନୂଆଦିଲ୍ଲୀ,ଏଜେନ୍ସି: ନ୍ୟାସନାଲ କନଫରେନସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ ଜାମିନରେ ପଦାକୁ ଆସିଥିବା ଜଣାଯାଇଛି। ସୂଚନା ଅନୁସାରେ ସେମାନେ ଗତ ମଙ୍ଗଳବାର ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ କରିଥିଲେ। ଏଥିରେ ତାଙ୍କୁ ୧୧ଜଣ ମହିଳା ସମର୍ଥନ କରିଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଭଉଣୀ ସୂର୍ଯ୍ୟା ଏବଂ ଝିଅ ସାଫିୟାଙ୍କ ସହିତ ୧୧ଜଣ ମହିଳାଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ପୁଲିସ ସୂଚନା ଅନୁସାରେ ଉଭୟଙ୍କୁ ୧୦ହଜାର ଓ ୪୦ହଜାର ଟଙ୍କା ବ୍ୟକ୍ତିଗତ ମୁଲ୍ୟରେ ଜାମିନ ମିଳିଛି। ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଥିବା ସମସ୍ତ ମହିଳାଙ୍କୁ ମାଜିଷ୍ଟ୍ରେଟ୍‌ କୋର୍ଟ ଜାମିନ୍ ଦେଇଛନ୍ତି ।

ସୂଚନାଯୋଗ୍ୟ ସିଭିଲ୍‌ସୋସାଇଟିର ମହିଳାମାନେ ଗତ ମଙ୍ଗଳବାର ସକାଳେ ଲାଲଚୌକ ପ୍ରତାପ ପାର୍କ ନିକଟରେ ଧାରା ୩୭୦ ଉଚ୍ଛେଦକୁ ଉଠାଇବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ତାଙ୍କୁ ଗିରଫ କରାଯାଇଥିଲା। ତେବେ ୩୦ ଘଣ୍ଟାକାଳ ଜେଲରେ ରହିବା ପରେ ସେମାନେ ବ୍ୟକ୍ତିଗତ ଜାମିନରେ ପଦାକୁ ଆସିଛନ୍ତି।