ରାଜ୍ୟରେ ଭାଗ ଚାଷୀଙ୍କ ସଂଖ୍ୟା ୯ ଲକ୍ଷ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଭାଗ ଚାଷୀଙ୍କ ସଂଖ୍ୟା କେତେ? ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଉଚିତ ନୁହେଁ କି? ଏଭଳି ପ୍ରଶ୍ନ ବାରମ୍ବାର ଉତ୍ଥାପନ ହୋଇଥିଲେ ହେଁ ଚଳିତ ବିଧାନସଭାରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ. ଅରୁଣ ସାହୁ ଉତ୍ତର ରଖିଛନ୍ତି। ସର୍ଭେନୁସାରେ ରାଜ୍ୟରେ ଭାଗ ଚାଷୀଙ୍କ ସଂଖ୍ୟା ୯ଲକ୍ଷରୁ ଅଧିକ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବୁଧବାର ଶାସକ ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶୀିକରଣ ମନ୍ତ୍ରୀ ଡ. ସାହୁ କହିଥିଲେ, କୃଷି ଗଣନା ମାଧ୍ୟମରେ ରାଜ୍ୟରେ ବିଭିନ୍ନ ବର୍ଗର ଚାଷୀଙ୍କ ସଂଖ୍ୟାର ଆକଳନ କରାଯାଇଥାଏ। ଏହାକୁ ଚାଷୀ ସଂଖ୍ୟା ରୂପେ ବିବେଚନା କରାଯାଇପାରେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରଣୟନ କରାଯାଉଥିବା ବିଭିନ୍ନ ଯୋଜନାମାନ ସମସ୍ତ ବର୍ଗର ଚାଷୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ଭୂମିହୀନ କୃଷକଙ୍କର ଚାଷକାର୍ଯ୍ୟ ପାଇଁ ଅର୍ଥର ଆବଶ୍ୟକତାକୁ ପୂରଣ କରିବାପାଇଁ ‘ବଳରାମ’ଏବଂ ‘କାଳିଆ’ ଯୋଜନାର ପ୍ରଣୟନ କରାଯାଇଛି।
ମନ୍ତ୍ରୀ କହିଥିଲେ, କୃଷି ଗଣନା ୨୦୧୫-୧୬ରେ ତାହା ହୋଇଥିଲା। ତଦନୁଯାୟୀ ରାଜ୍ୟର ବିଭିନ୍ନ ବର୍ଗର ଚାଷୀଙ୍କ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ଚାଷୀସଂଖ୍ୟା ୪୮,୬୫,୮୫୦ ଥିଲାବେଳେ ଭାଗଚାଷୀଙ୍କ ସଂଖ୍ୟା ୯ ଲକ୍ଷ ୫ ହଜାର ୧୮୪ ରହିଛି। ସେହିପରି ନାମମାତ୍ର ଚାଷୀ ସଂଖ୍ୟା ୩୬, ୩୬,୬୫୮ ଥିଲାବେଳେ କ୍ଷୁଦ୍ରଚାଷୀ ସଂଖ୍ୟା ୮,୮୭,୨୭୨, ମଧ୍ୟମ ଚାଷୀ ସଂଖ୍ୟା ୩,୩୭,୯୪୫ ଏବଂ ବଡ଼ଚାଷୀଙ୍କ ସଂଖ୍ୟା ୩,୯୭୫ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।