ଆଜି ଦିଲ୍ଲୀରେ କୃଷକଙ୍କ ବିଶାଳ ବିକ୍ଷୋଭ: ହରିୟାଣା ସୀମା ସିଲ୍, ନୋଏଡା-ଗୁରୁଗ୍ରାମ ମେଟ୍ରୋ ସେବା ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ ଆଜି ପଞ୍ଜାବ ଏବଂ ହରିୟାଣାର କୃଷକମାନଙ୍କର ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିଛନ୍ତି। ନିକଟରେ ପାରିତ ହୋଇଥିବା କୃଷି ବିଲକୁ ବିରୋଧ କରି ଏହି ବିରୋଧ ପ୍ରଦର୍ଶନ କରାଯିବ। ଭାରତ କିଷାନ ୟୁନିଅନର ବ୍ୟାନରରେ ହଜାର ହଜାର କୃଷକ ଆଜି ଦିଲ୍ଲୀରେ ପ୍ରଦର୍ଶନ କରିବେ ଏହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

କୃଷକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ହରିୟାଣା ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି। ହରିୟାଣା ସରକାର ମଧ୍ୟ ପଞ୍ଜାବର ସୀମାକୁ ସିଲ୍ କରିଛନ୍ତି। ବହୁ ସଂଖ୍ୟକ କୃଷକ ଦିଲ୍ଲୀ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଫଳରେ ପଞ୍ଜାବର ସୀମା ୨ ଦିନ ସିଲ୍ ରହିବ ବୋଲି ହରିୟାଣା ସରକାର କହିଛନ୍ତି।

କୃଷକ ମାନଙ୍କୁ ଦିଲ୍ଲୀରେ ପ୍ରବେଶ ନକରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ପୁରା ପ୍ରସ୍ତୁତ ହୋଇଛି। ରାଜଧାନୀରେ ପ୍ରଦର୍ଶନ କରିବାକୁ କୃଷକ ସଂଗଠନର ସମସ୍ତ ଦାବିକୁ ପୁଲିସ ପ୍ରତ୍ୟାଖ୍ୟାନ କରିଛି। କରୋନା ମହାମାରୀ ସମୟରେ ଯଦି କୃଷକମାନେ ଦିଲ୍ଲୀରେ ଏକାଠି ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୃଷକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ମଧ୍ୟ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଦିଲ୍ଲୀରୁ ନୋଏଡା, ଫରିଦାବାଦ, ଗାଜିଆବାଦ ଏବଂ ଗୁରୁଗ୍ରାମ ପର୍ଯ୍ୟନ୍ତ ମେଟ୍ରୋ ସେବା ଉପରେ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ବିରତ ରହିବ। ସୁଲତାନପୁର ମେଟ୍ରୋ ଷ୍ଟେସନରୁ ହଳଦିଆ ଲାଇନର ଗୁରୁ ଦ୍ରୋଣାଚାର୍ଯ୍ୟ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ସେବା ବନ୍ଦ ରହିବ।