ସରକାରଙ୍କ ପ୍ରସ୍ତାବକୁ ଚାଷୀଙ୍କ ଅଗ୍ରାହ୍ୟ, ବ୍ୟାପକ ହେବ ଆନ୍ଦୋଳନ

ନୂଆଦିଲ୍ଲୀ, ଏଜେନ୍ସି: ସରକାର ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିସ୍କର୍ଷ ବାହାରି ପାରିଲାନାହିଁ। ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ପୃଷ୍ଠାର ପ୍ରସ୍ତାବକୁ କୃଷକ ସଙ୍ଗଠନ ଅଗ୍ରାହ୍ୟ କରିଛି। ପ୍ରସ୍ତାବ ପାଇବା ପରେ କୃଷକ ସଂଗଠନଗୁଡିକ ଏହି ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ଦିଲ୍ଲୀ-ହରିୟାଣା ସୀମା ସିଙ୍ଗୁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିବା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଯଦି ସରକାର ଆଉ କୌଣସି ପ୍ରସ୍ତାବ ପଠାନ୍ତି ତାହାର ବିଚାର କରାଯିବ ବୋଲି କୃଷକ ନେତା କହିଛନ୍ତି।

କ୍ରାନ୍ତିକାରୀ କିସାନ ୟୁନିଅନର ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି ଯେ ସରକାରଙ୍କ ପ୍ରସ୍ତାବ ରଦ୍ଦ ହୋଇଛି। ଆଗାମୀ ଦିନରେ କୃଷକ ସଂଗଠନ ପକ୍ଷରୁ ଜିଓର ସମସ୍ତ ଦ୍ରବ୍ୟକୁ ବହିଷ୍କାର କରାଯିବା ସହ ଡିସେମ୍ବର ୧୩ ଓ ୧୪ରେ ସାରା ଦେଶରେ ଧାରଣା ପ୍ରଦର୍ଶନ କରାଯିବ। ସେହିପରି ଡିସେମ୍ବର ୧୨ରେ ସାରା ଦେଶରେ ଥିବା ଟୋଲ ପ୍ଲାଜା ଅଚଳ କରାଯିବ ସହ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ବନ୍ଦ କରାଯିବ। ଡିସେମ୍ବର ୧୪ ପରେ ସରକାର କୃଷି ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପ୍ରଦର୍ଶନ ଜାରି ରହିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।