ଫେବୃଆରୀ ୧ରେ ସଂସଦ ଅଭିମୁଖେ କୃଷକଙ୍କ ପଦଯାତ୍ରା

ନୂଆଦିଲ୍ଲୀ,ଏଜେନ୍ସି: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟରରାଲିକୁ ଅନୁମତି ମିଳିବା ପରେ ସେମାନଙ୍କ ପକ୍ଷରୁ ଆସନ୍ତା ଫେବ୍ରୁଆରୀ ୧ରେ ସଂସଦ ଅଭିମୁଖେ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି କ୍ରାନ୍ତିକାରୀ କିଷାନ ୟୁନିୟନର ନେତା ଦର୍ଶନ ପାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, ବିଭିନ୍ନ ସ୍ଥାନରୁ କୃଷକଙ୍କ ପଦଯାତ୍ରା ବାହାରିବ। ଦିଲ୍ଲୀ ପୁଲିସ କମିଶନର ଏସ୍ ଏନ୍ ଶ୍ରୀବାସ୍ତବ କହିଛନ୍ତି, କୃଷକ ନେତାମାନଙ୍କ ସହ ଆଲୋଚନା ପରେ ଟ୍ରାକ୍ଟର ରାଲି ପାଇଁ ଆମେ ୩ଟି ରୁଟ୍ ସ୍ଥିର କରିଛୁ। ପୁଲିସ ଓ କୃଷକ ନେତାମାନେ ଏହି ରୁଟ୍ ଇତି ମଧ୍ୟରେ ବୁଲି ଦେଖିଛନ୍ତି। ଟ୍ରାକ୍ଟର ରାଲି ସମୟରେ କିଛି ଅସାମାଜିକ ତତ୍ୱ ଏଥିରେ ବାଧା ସୃଷ୍ଟି କରିପାରନ୍ତି। ତେବେ ଆମେ ଏଥିପାଇଁ ସଚେତନ ରହିଛୁ। ସେହିପରି ଦିଲ୍ଲୀର ଯୁଗ୍ମ ପୁଲିସ କମିଶନର ମିନୁ ଚୌଧୁରୀ କହିଛନ୍ତି, ଜାତୀୟ ରାଜପଥ-୪୪ର ସିଂଘୁ ଶନିମନ୍ଦିର, ଅଶୋକ ଫାର୍ମ, ସୁନ୍ଦରପୁର, ମୁକରବା ଚୌକ୍ ଦେଇ ଟ୍ରାକ୍ଟର ରାଲି ଅତିକ୍ରମ କରିବ। ଏହି ପରିପ୍ରେକ୍ଷୀରେ ଟ୍ରାଫିକ୍ ପୁଲିସ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ଯାତ୍ରୀମାନଙ୍କୁ ଏହି ରୁଟ୍ ଦେଇ ଯାତାୟତ ନକରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଟିକ୍ରି, ସିଂଘୁ ଓ ଗାଜିପୁର ସୀମାରେ ସୋମବାର ସକାଳ ସୁଦ୍ଧା ୩୦ ହଜାରରୁ ଅଧିକ ଟ୍ରାକ୍ଟର ପହଞ୍ôଚବା ପରେ ବାରିକେଡ୍ ହଟାଇ ଦିଆଯାଇଛି। ଗୋଟିଏ ଟ୍ରାକ୍ଟରରେ ଅନ୍ୟୁନ ୩ ଜଣଙ୍କୁ ବସିବା ପାଇଁ ସରକାର ଅନୁମତି ଦେଇଛନ୍ତି। ୨୬ ତାରିଖ ସକାଳ ସୁଦ୍ଧା ୧ ଲକ୍ଷ ଟ୍ରାକ୍ଟର ପହଞ୍ôଚଯିବ ବୋଲି କୃଷକ ସଂଗଠନର ଜଣେ ନେତା କହିଛନ୍ତି।