ପଞ୍ଚଗାଁ ଛକରେ ଧାନ ବସ୍ତା ରଖି ଏନଏଚ-୪୯ ଅବରୋଧ କଲେ ଚାଷୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଅତାବିରା ସମବାୟ ସମିତିରେ ଦେଖାଦେଇଥିବା ଧାନ ବିକ୍ରି ସମସ୍ୟାର ସମାଧାନ ଦାବିରେ ଆଜି ସାକଳୁ ଚାଷୀମାନେ ପଞ୍ଚଗାଁ ଛକ ନିକଟରେ ଧାନ ବସ୍ତା ରଖି ଏନଏଚ-୪୯ ଅବରୋଧ କରି ଆନ୍ଦୋଳନ କରିଛନ୍ତି। ତବେ ଘଟଣାସ୍ଥଳକୁ ଅପରାହ୍ଣ ୨ଟା ଯାଏଁ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ନ ପହଞ୍ଚିବାରୁ ଚାଷୀମାନେ ଏନଏଚ-୪୯ ରାସ୍ତା ଉପରେ ବସି ଦ୍ୱିପ୍ରହର ଭୋଜନ କରିଛନ୍ତି। ଚାଷୀଙ୍କ ଏପରି ଜୋରଦାର ଆନ୍ଦୋଳନ ଯୋଗୁ ଝାରସୁଗୁଡ଼ା, ଛତିଶଗଡ଼ ରାୟଗଡ଼ ତଥା ପଞ୍ଚଗାଁ ଛକ ଦେଇ ଯାଉଥିବା ଅନ୍ୟସ୍ଥ।।ନଗୁଡ଼ିକୁ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ଅନ୍ୟପଟେ ଅତାବିରା ସମବାୟ ସମିତିର ଏହି ଚାଷୀଙ୍କ ଆନ୍ଦୋଳନକୁ ଜିଲ୍ଲା କୃଷକ ସଂଗଠନ ଓ ଚାଷୀମାନେ ସମର୍ଥନ ଜଣାଇଛନ୍ତି। ଚାଷୀଙ୍କୁ ଟୋକନ ପ୍ରଦାନ କରି ସେମାନଙ୍କ ଧାନ କିଣା ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳକୁ ରେଙ୍ଗାଲି ଥାନାଧିକାରୀ ସାରଙ୍ଗଧର ପାଣିଗ୍ରାହୀ, ଲଖନପୁର ଥାନାଧିକାରୀ ପବିତ୍ର କିସାନ ଓ ପୁଲିସ ଦଳ ପହଞ୍ଚି ଚାଷୀମାନଙ୍କୁୁ ବୁଝାସୁଝା କରିଥିଲେ। ଟୋକନ ବ୍ୟବସ୍ଥାର ସମାଧାନ ପାଇଁ ଚାଷୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଝାରସୁଗୁଡ଼ା ସିଏସଓ, ଲଖନପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ନାହିଁ।