କଲାରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ରୋକ: ୧୦ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଧାନ କ୍ରୟ ନିମନ୍ତେ ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ଚାଷୀଙ୍କ ଧାନକୁ ଯୋଗାଣ ବିଭାଗ ପକ୍ଷରୁ କିଣାଯାଉ ନଥିବା ପ୍ରତିବାଦରେ ଆଜି ବାରକୋଟ ବ୍ଲକ୍ ଅନ୍ତର୍ଗତ କଲା ସେବା ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀମାନେ ସେବା ସମବାୟ ସମିତି ଘେରାଉ କରିବା ସହ ୪୯ନଂ ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ରାସ୍ତା ରୋକ କରିଥିବା ଜଣାପଡ଼ିଛି। ତେବେ ସାଢ଼େ ୧୨ଟା ସମୟରେ ବାରକୋଟ ଥାନା ପୁଲିସ ଆନ୍ଦୋଳନ କାରୀମାନଙ୍କୁ ଉଠାଇନେବା ପରେ ଜାତୀୟ ରାଜପଥ ସ୍ୱାଭାବିକ ହୋଇଥିଲା।ତେବେ ଆନ୍ଦୋଳନକାରୀ ଚାଷୀମାନଙ୍କୁ ପୁଲିସ ଗିରଫ କରିବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଚାଷୀ ଙ୍କ ନିକଟକୁ ଆଲୋଚନା ପାଇଁ ପହଞ୍ଚିପାରି ନଥିଲେ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଆଜି ପୂର୍ବାହ୍ନରେ କଲା ସେବା ସମବାୟ ସମିତୀ ଅଧିନରେ ପଞ୍ଜିକୃତ ଚାଷୀ ହୃଦା ନାୟକ, ଅରୁଣ କୁମାର ସାହୁ, ସନ୍ତୋଷ କୁମାର ସାହୁ, ମିଟୁ ବେହେରା, ଧୀରେନ ସାହୁ, ରବି ନାରାୟଣ ବେହେରା, ବିଦ ସାହୁ, ଜଗା ସାହୁ, ମିତ୍ରଭାନୁ ସାହୁ, ପିତ ସାହୁ, ମାଳତୀ ସାହୁ, ଅନ୍ନପୂର୍ଣ୍ଣା ବେହେରାଙ୍କ ସମେତ ଶତାଧିକ ଚାଷୀ ଧାନ ବସ୍ତା ନେଇ ୪୯ନଂ ଜାତୀୟ ରାଜପଥରେ ଗଦା କରି ରାସ୍ତା ରୋକ କରିଥିଲେ। ରାସ୍ତା ରୋକ ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହାନ ଅଟକି ରହିଥିଲା। ତେବେ ସେ ପର୍ଯ୍ୟନ୍ତ ଚାଷୀଙ୍କ ନିକଟକୁ ଆଲୋଚନା ପାଇଁ କୌଣସି ଅଧିକାରୀ ଆସୁ ନଥିବାରୁ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବାରକୋଟ ଥାନା ପୁଲିସ ରାସ୍ତା ରୋକ କରୁଥିବା ଚାଷୀମାନଙ୍କୁ ଗିରଫ କରିଥିଲା।

ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢୀଙ୍କ ମତାମତ ଲୋଡିବାରୁ ଜିଲ୍ଲାର ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟକୁ ପୁଣି ଥରେ ବୃଦ୍ଦି କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିକଟକୁ ପତ୍ର ଲେଖିଥିବା ପ୍ରକାଶ କରିବା ସହ ନୂତନ ଧାର୍ଯ୍ୟ ଲକ୍ଷ୍ୟ ଆସିବା କ୍ଷଣୀ ହିଁ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ସୂଚନା ଦେଇଥିଲେ।