ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

ଦେବଗଡ଼,ଏନ୍ଏନ୍ଏସ୍ : ଧାନ କ୍ରୟ ନିମନ୍ତେ ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ଚାଷୀଙ୍କ ଧାନକୁ ଯୋଗାଣ ବିଭାଗ ପକ୍ଷରୁ ଖରିଦ କରାଯାଉ ନ ଥିବା ପ୍ରତିବାଦରେ ଆଜି ବାରକୋଟ ବ୍ଲକ ଅନ୍ତର୍ଗତ କଲା ସେବା ସମବାୟ ସମିତି ଅଧିନରେ ପଞ୍ଜୀକୃତ ଚାଷୀମାନେ ସେବା ସମବାୟ ସମିତି ଘେରାଉ କରିବା ସହ ୪୯ ନଂ ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ତେବେ ବାରକୋଟ ଥାନା ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇନେବା ପରେ ଜାତୀୟ ରାଜପଥ ସ୍ୱାଭାବିକ ହୋଇଥିଲା। ଚାଷୀଙ୍କୁ ପୁଲିସ ଗିରଫ କରିବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଚାଷୀଙ୍କ ନିକଟକୁ ଆଲୋଚନା ପାଇଁ ପହଞ୍ôଚପାରି ନ ଥିଲେ। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଆଜି ପୂର୍ବାହ୍ଣରେ କଲା ସେବା ସମବାୟ ସମିତି ଅଧିନରେ ପଞ୍ଜୀକୃତ ଚାଷୀ ହୃଦା ନାୟକ, ଅରୁଣ କୁମାର ସାହୁ , ସନ୍ତୋଷ କୁମାର ସାହୁ, ମିଟୁ ବେହେରା, ଧୀରେନ ସାହୁ, ରବି ନାରାୟଣ ବେହେରା, ବିଦ ସାହୁ, ଜଗା ସାହୁ ଓ ମିତ୍ରଭାନୁ ସାହୁ, ମାଳତୀ ସାହୁ, ଅନ୍ନପୂର୍ଣ୍ଣା ବେହେରାଙ୍କ ସମେତ ଶତାଧିକ ଚାଷୀ ଧାନ ବସ୍ତା ନେଇ ୪୯ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହାନ ଅଟକି ରହିଥିଲା। ଚାଷୀଙ୍କ ନିକଟକୁ ଆଲୋଚନା ପାଇଁ କୌଣସି ଅଧିକାରୀ ଆସୁ ନ ଥିବାରୁ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବାରକୋଟ ଥାନା ପୁଲିସ ରାସ୍ତାରୋକ କରୁଥିବା ଚାଷୀଙ୍କୁ ଗିରଫ କରିଥିଲା। ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢ଼ୀଙ୍କ ମତାମତ ନେବାରୁ ଜିଲ୍ଲାର ଚାଷୀମାନଙ୍କ ଠାରୁ ଧାନ ଖରିଦ ପାଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟକୁ ପୁଣି ଥରେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିକଟକୁ ପତ୍ର ଲେଖିଥିବା ପ୍ରକାଶ କରିବା ସହ ନୂତନ ଧାର୍ଯ୍ୟ ଲକ୍ଷ୍ୟ ଆସିବା କ୍ଷଣି ହିଁ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ସୂଚନା ଦେଇଥିଲେ।

ସେହିପରି ସେବା ସମବାୟ ସମିତି ସହକାରୀ ନିବନ୍ଧକ ନିମାଇ ଚରଣ ନାୟକଙ୍କ ମତାମତ ଲୋଡିବାରୁ କଲା ସେବା ସମବାୟ ସମିତି ଅଧିନରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ଚଳିତ ଖରିଫରେ ୨୨ହଜାର ୩ଶହ କୁଇଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ବର୍ତ୍ତମାନ ଯାଏଁ ୨୦ହଜାର ୯୬୦ କୁଇଣ୍ଟାଲ ଧାନ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କ ଠାରୁ କ୍ରୟ କରାଯାଇଛି। ତେବେ ୧୩ଶହ ୩୯କୁଇଣ୍ଟାଲ ଧାନ କିଣାଯିବାକୁ ବାକି ଥିବା ବେଳେ ବର୍ତ୍ତମାନ ମଧ୍ୟ ଚାଷୀଙ୍କ ନିକଟରେ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର ଅଧିକ ଧାନ ରହିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଜିଲ୍ଲା ଯୋଗଣ ଅଧିକାରୀ ଶ୍ରୀ ପାଢ଼ୀ, ସହକାରୀ ଯୋଗାଣ ଅଧିକାରୀ ବିଜୟ କୁମାର ବାରିକ ଓ ସହକାରୀ ନିବନ୍ଧକ ନିମାଇ ଚରଣ ନାୟକ ପ୍ରମୁଖ କଲା ସେବା ସମବାୟ ସମିତି କାର୍ଯ୍ୟାଳୟକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ଦେବଗଡ଼ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ଅମଳ ହେବାର ଇତିମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ଧାନମଣ୍ଡିରେ ଅଦ୍ୟାବଧି ବହୁ ଚାଷୀଙ୍କୁ ଧାନ ବିକ୍ରୟ ନିମନ୍ତେ ଟୋକନ ମିଳିନଥିବା ବେଳେ ଅନେକ ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରିନାହାନ୍ତି। ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି ପାଇଁ ସମ୍ପୃକ୍ତ ଅଞ୍ଚଳରେ ଥିବା ସେବା ସମବାୟ ସମିତି ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଦୌଡିଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କର ଧାନ କ୍ରୟ କରାଯାଉନଥିବାରୁ ଦେବଗଡ ଜିଲ୍ଲାର ଚାଷୀ ଆନ୍ଦୋଳନ ମୁହାଁ ହୋଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ମଧ୍ୟ କଣ୍ଢଳ ଓ ଗାଙ୍ଗନନ ସେବା ସମବାୟ ସମିତିର ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯିବାର ସୂଚନା ରହିଛି।