ପଞ୍ଚଗାଁ ଛକରେ ଧାନ ବସ୍ତା ରଖି ଏନ୍ଏଚ୍ ଅବରୋଧ କଲେ ଚାଷୀ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଅତାବିରା ସମବାୟ ସମିତିର ଚାଷୀମାନେ ପଞ୍ଚଗାଁ ଛକ ନିକଟ ଏନ୍ଏଚ୍-୪୯ରେ ଧାନ ବସ୍ତା ରଖି ଆଜି ସକାଳୁ ଆନ୍ଦୋଳନ କରୁଛନ୍ତି। ଫଳରେ ଝାରସୁଗୁଡା ଓ ଛତିଶଗଡ଼ ମଧ୍ୟରେ ସମସ୍ତ ଯାତାୟାତ ଠପ ହୋଇଯାଇଛି। ତେବେ ଏହି ଆନ୍ଦୋଳନକୁ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସମର୍ଥନ ଜଣାଯାଇଛି। ଚାଷୀଙ୍କୁ ଟୋକନ ପ୍ରଦାନ କରି ସେମାନଙ୍କ ଧାନ କିଣା ନ ଯିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି। ଘଟଣା ସ୍ଥଳରେ ରେଙ୍ଗାଲି ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ, ଲଖନପୁର ଥାନା ଅଧିକାରୀ ପବିତ୍ର କିସାନ ଓ ପୁଲିସ ଦଳ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଛନ୍ତି। ତେବେ ଅତାବିରା ସମବାୟ ସମିତିରେ ଟୋକନ ତୃଟି ଯୋଗୁଁ ସରକାର ଧାନ କିଣୁ ନାହାନ୍ତି। ଚାଷୀଙ୍କ ଧାନ କିଣିବାର ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ରୋକଠୋକ ଭାବେ କହିଛନ୍ତି।

ପଞ୍ଜିକରଣ ତ୍ରୁଟି ଯୋଗୁଁ ଅତାବିରା ସମବାୟ ସମିତିର ୧୭୨ ଜଣ ଚାଷୀଙ୍କୁ ଆବଶ୍ୟକ ପରିମାଣର ଟୋକନ ମିଳିିନାହିଁ। ଫଳରେ ଏହି ଚାଷୀମାନେ ନିଜର ଉତ୍ପାଦିତ ପ୍ରାୟ ୬ ହଜାର କ୍ବିଣ୍ଟାଲ ଧାନ ବିକ୍ରି କରିପାରୁ ନାହାନ୍ତି। ଏଥିସହ ଚାଷୀମାନଙ୍କ ଧାନ ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଚାଷୀମାନେ ବାରମ୍ବାର ଜିଲ୍ଲାପାଳ, ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇସାରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏଥିରେ ଅତିଷ୍ଠ ହୋଇ ଗତ ୧୮ ତାରିଖ ଦିନ ଚାଷୀମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଗତ ୨୩ ତାରିଖ ଯାଏଁ ତାଙ୍କୁ ଟୋକନ ପ୍ରଦାନ କରାନଗଲେ ସେମାନେ ଏନ୍ଏଚ୍-୪୯ ଅବରୋଧ କରିବେ ବୋଲି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କୌଣସି ଚାଷୀଙ୍କୁ ଟୋକନ ନ ମିଳିବାରୁ ସେମାନେ ଆଜି ସକାଳୁ ଏନ୍ଏଚ୍ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି।