ବିଧାୟକଙ୍କ ଘର ସମ୍ମୁଖରେ ଧାନ ବସ୍ତା ରଖି ଆନ୍ଦୋଳନ କଲେ ଚାଷୀ

ସମ୍ବଲପୁର,ଏନ୍ଏନ୍ଏସ୍: ଧାନ କିଣା ପାଇଁ ସରକାରଙ୍କ ତରଫରୁ ହୋଇଥିବା ଟୋକନ ବ୍ୟବସ୍ଥାକୁ ଚାଷୀମାନେ ବିରୋଧ କରି ଆନ୍ଦୋଳନ କରିଛନ୍ତି। ଏ ନେଇ ଚାଷୀମାନେ ସୋମବାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଆନ୍ଦୋଳନ କରିଥିବା ବେଳେ ମଙ୍ଗଳବାର ଚାଷୀମାନେ ବିଧାୟକଙ୍କ ଘର ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଚାଷୀମାନେ ପ୍ରଥମେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ଧନୁପାଲିସ୍ଥିତ ବାସଭବନ ସମ୍ମୁଖରେ ୨ଟି ଟ୍ରାକ୍ଟର ଧାନ ରଖି ରାସ୍ତା ଅବରୋଧ କରିଛନ୍ତି। ପରେ ରେଢ଼ାଖୋଲ ବିଧାୟକ ତଥା ଉପ ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କ ବୃକ୍ସ ହିଲ ଓ ସାକ୍ଷୀପଡ଼ାସ୍ଥିତ ବାସଭବନ ସମ୍ମୁଖରେ ଗୋଟିଏ ଟ୍ରାକ୍ଟର ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସେହିପରି ବାଇକରେ ୪ଟି ଧାନ ବସ୍ତା ନେଇ ସମ୍ବଲପୁର ବିଧାୟକ ଜୟନରାୟଣ ମିଶ୍ରଙ୍କ ଘର ସମ୍ମୁଖରେ ରଖି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନରେ ହଜାର ହଜାର ଚାଷୀ ସାମିଲ ହୋଇଛନ୍ତି।