୧୪ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲେ କୃଷକ ଓ ଶ୍ରମିକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୧୪ ଦଫା ଦାବିରେ ସର୍ବଭାରତୀୟ ସ୍ତରରେ କୃଷକ ଓ ଶ୍ରମିକମାନଙ୍କ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଆଜି ଝାରସୁଗୁଡାରେ ସଫଳ ହୋଇଛି। ଝାରସୁଗୁଡାର ବିଭିନ୍ନସ୍ଥାନରେ କୃଷକ ଓ ଶ୍ରମିକମାନେ ଏକତ୍ର ବିକ୍ଷୋଭ ପ୍ରଦର୍ଶନ କରିବାସହ ୧୪ ଦଫା ଦାବି ପୂରଣ କରିବା ପାଇଁ ସ୍ଲୋଗାନ ଦେଇଥିଲେ।

ସେମାନେ ନୂତନ କୃଷି ଆଇନ ପ୍ରତ୍ୟାହାର, ସ୍ୱାମୀନାଥନ କମିଶନ ଲାଗୁ, କୃଷିଜାତ ଦ୍ରବ୍ୟର ଉଚିତ ସହାୟକ ମୂଲ୍ୟ ପ୍ରଦାନ, ଅତ୍ୟାବଶ୍ୟକ ସାମଗ୍ରୀ ନିୟନ୍ତ୍ରଣ ଆଇନ ୧୯୫୫କୁ ଲାଗୁ, ଶ୍ରମିକ ବିରୋଧୀ ଶ୍ରମକୋଡ୍ କୁ ପ୍ରତ୍ୟାହାର, ସମସ୍ତ ଗରିବ ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କା ଓ ୧୦ କେଜି ଚାଉଳ ପ୍ରଦାନ, ଗ୍ରାମାଞ୍ଚଳରେ ମନଗାରେ ଅଧିନରେ ବର୍ଷକୁ ୨ଶହ ଦିନର କାମ ଓ ଦୈନିକ  ୫ଶହ ଟଙ୍କା କରିବା, ପରିବହନ ଶ୍ରମିକମାନଙ୍କୁ କରୋନା ସହାୟତା ପ୍ରଦାନ, ଜାତୀୟ ଶିକ୍ଷାନିତୀ ୨୦୨୦କୁ ବାତିଲ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ବ୍ୟାଙ୍କ, ବୀମା, ପ୍ରତିରକ୍ଷା ଓ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ, ପ୍ରବାସୀଶ୍ରମିକଙ୍କ ପାଇଁ ରୋଜଗାରର ବ୍ୟବସ୍ଥା, ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା ପ୍ରଦାନ, ଆଶା, ପାଚିକା, ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ତଥା ସାମାଜିକ ସୁରକ୍ଷାର ବ୍ୟବସ୍ଥା କରିବା ଆଦି ଦାବି କରିଛନ୍ତି।