ଋଣ ବୋଝ ସହି ନପାରି ଚାଷୀ କଲେ ଆତ୍ମହତ୍ୟା

ଭଦ୍ରକ, ଏନ୍ଏନ୍ଏସ୍ : ଋଣ ବୋଝ ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଚାଷୀ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଉଳିଡିହ ଗାଁ ନୂଆପାଟଣା ଅଂଚଳରେ। ଜମିରେ ପକାଇବାକୁ ଆଣିଥିବା ବିଷ ପିଇ ଦେଇ ଜମିରେ ପଡ଼ିଥିବାବେଳେ ଗ୍ରାମବାସୀ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ମୃତକ ହେଲେ ଉମାକାନ୍ତ ଲେଙ୍କା।
ସୂଚନା ଅନୁଯାୟୀ, ନୂଆପାଟଣା ସାହିର ଉମାକାନ୍ତ ଲେଙ୍କା ବମକୁରା ସେବାସମବାୟ ସମିତିରୁ ଚାଷ ପାଇଁ ଚାଲିସ ହଜାର ଟଙ୍କା ଋଣ ଆଣିବା ସହ ହାତ ଉଧାରୀ ମଧ୍ୟ କରିଥିଲେ। ବଡ଼ ଝିଅର ବହାଘର ସହ ଅଦିନିଆ ବର୍ଷାରେ ଚାଷରେ ବ୍ୟାପକ କ୍ଷତି ଯୋଗୁଁ ସେ ହତାସ ଓ ଚିତିନ୍ତ ହୋଇପଡ଼ିଥିଲେ। କରିଥିବା ଋଣ ପରିଶୋଧ କରିବାରେ ସକ୍ଷମ ହୋଇନଥିବାରୁ ନିଜ ବିଲରେ ଚାଷ ପାଇଁ ଆଣିଥିବା କୀଟନାସକ ପିଇ ଦେଇଥିଲେ। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉମାକାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉମାକାନ୍ତଙ୍କର ମୃତ୍ୟୁକୁ ନେଇ ଗାଁରେ ଉତେଜନା ଦେଖାଦେଇଛି ବୋଲି ସୂଚନା ମିଳିଛି।