ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ: ଟୋକନ ମିଳି ନ ଥିଲେ ବି ଧାନ ବିକି ପାରିବେ ଚାଷୀ

ସମ୍ବଲପୁର,ଏନ୍ଏନ୍ଏସ୍: ରାଜ୍ୟରେ ଧାନ ସଂଗ୍ରହରେ ଅନ୍ଲାଇନ୍ ଟୋକନ ବ୍ୟବସ୍ଥା ନେଇ ଜିଦ୍ରୁ ସରକାର ଓହରିଛନ୍ତି। ହୀରାକୁଦ ସେଚାଞ୍ଚଳରେ ଟୋକନ୍ ଥାଉ ବା ନ ଥାଉ ଚାଷୀ ୟାର୍ଡ ଓ କ୍ରୟକେନ୍ଦ୍ରକୁ ଯେଉଁଦିନ ଯେତିକି ଧାନ ଆଣିବେ ତାହା ସେଦିନ ହିଁ କ୍ରୟ କରାଯିବ। ଅତିବେଶିରେ ଦୁଇଦିନ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଧାନ ବିକା ଟଙ୍କା ପଡ଼ିବ। ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀଙ୍କ ଏହି ପ୍ରତିଶ୍ରୁତି ପରେ ଆଜି ଅପରାହ୍ଣ ୧ ଟାରୁ ସମ୍ବଲପୁର ବରେଇପାଲିରେ ନିୟନ୍ତ୍ରିତ ବଜାର କମିଟି ଆରଏମସି ସାମନାରେ ଚାଲିଥିବା ଚାଷୀଙ୍କ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ଅପରାହ୍ଣରେ ପ୍ରତ୍ୟାହୃତ ହୋଇଛି।

ହେଲେ ଚଳିତ ବର୍ଷ ଅଧିକ ଧାନ ଅମଳ ହୋଇଥିବାରୁ ଏକର ପ୍ରତି ଧାନ ବିକ୍ରି ପରିମାଣ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ସରକାର ନିଷ୍ପତ୍ତି ନ ନେଲେ ପୁଣି ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ ଘୋଷଣା କରିଛନ୍ତି। ଏଣେ ଅପରାହ୍ଣ ୨ ଟା ୫୦ରେ ମନ୍ତ୍ରୀ ଓ ସରକାରୀ ଉପମୁଖ୍ୟ ସଚେତକଙ୍କ ପ୍ରତିଶ୍ରୁତି ଉପରେ ଆଲୋଚନା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରାଯାଇଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।

ପ୍ରକାଶ ଯେ, ଚଳିତ ବର୍ଷ ଧାନ ସଂଗ୍ରହରେ ଅନ୍ଲାଇନ୍ ଟୋକନ୍ ବ୍ୟବସ୍ଥାର ପ୍ରଚଳନ, ଚାଷୀ କେତେ ଧାନ ବିକ୍ରି କରିବେ ରାଜ୍ୟସ୍ତରରୁ ତାହାର ନିର୍ଦ୍ଧାରଣ ନେଇ ଆରମ୍ଭରୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ଏବଂ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଅସନ୍ତୋଷ ପ୍ରକାଶ କରି ଆସିଥିଲା। ବାସ୍ତବ ସ୍ଥିତିକୁ ବିଚାରକୁ ନ ନେଇ ଏଭଳି ନୀତି ନିର୍ଦ୍ଧାରଣ ଯୋଗୁଁ ଧାନ ସଂଗ୍ରହରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚାଷୀ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏପରିକି ସମ୍ବଲପୁର ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକରେ ମଧ୍ୟ ଚାଷୀ ପ୍ରତିନିଧିମାନେ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ସ୍ପଷ୍ଟ ଭାଷାରେ ଏହା ଜଣାଇଥିଲେ।

ଏହାସତ୍ତେ୍ୱ ଧାନ ସଂଗ୍ରହ ପାଇଁ ଆବଶ୍ୟକ ପ୍ରସ୍ତୁତି ନ କରି ଗତ ୧୫ ତାରିଖ ସମ୍ବଲପୁର ସଦର ଉପଖଣ୍ଡର ୟାର୍ଡ ଓ କ୍ରୟକେନ୍ଦ୍ରଗୁଡ଼ିକୁ ଖୋଲାଯାଇଥିଲା। ହେଲେ ପ୍ରଥମ ଦିନରୁ ହିଁ ଜିଲ୍ଲା ପ୍ରଶାସନର ଅପ୍ରସ୍ତୁତି ଏବଂ ଅନ୍ଲାଇନ୍ ଟୋକନ୍ ବ୍ୟବସ୍ଥାର ତ୍ରୁଟି ପଦାରେ ପଡ଼ିଥିଲା। ଚାଷୀଙ୍କ ନାମରେ ଅନଲାଇନ୍ ଟୋକନ୍ ଜେନେରେଟ୍ ହୋଇ ନ ଥିବା ବେଳେ ୟାର୍ଡ ଓ କ୍ରୟକେନ୍ଦ୍ରଗୁଡ଼ିକୁ ଚାଷୀମାନେ ଆଣିଥିବା ଧାନ କିଣିବାକୁ କୌଣସି ଉପକ୍ରମ ହୋଇନଥିଲା। ଫଳରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ସ୍ୱାଭାବିକ ଭାବେ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟା ସମୟ ଦେଇଥିଲା।

ଏକର ପ୍ରତି ଧାନ ବିକ୍ରି ପରିମାଣ ବୃଦ୍ଧି ପାଇଁ ସରକାର ସପ୍ତାହେ ମଧ୍ୟରେ ପଦକ୍ଷେପ ନ ନେଲେ ପୁଣି ଆନ୍ଦୋଳନ ହେବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିବା ସହ ଅନଲାଇନ ଟୋକନ ବ୍ୟବସ୍ଥା ନେଇ ସରକାରଙ୍କୁ ଜିଦ୍ରୁ ଓହରାଇ ପାରିବା ଚାଷୀ ଏକତାର ବିଜୟ ବୋଲି କହିଥିଲେ। ଏହାସହ ସେ ରାଜପଥ ଅବରୋଧ ପ୍ରତ୍ୟାହୃତ ହେଲା ବୋଲି ଘୋଷଣା କରିବା ପରେ ସ୍ଥିତି ସ୍ୱାଭାବିକ ହେବା ସହ ବରେଇପାଲି ୟାର୍ଡରେ ଚାଷୀ ମନୋରଞ୍ଜନ ଭୋଇଙ୍କ ୮୨ ବସ୍ତା ଧାନ ବିନା ଟୋକନରେ କିଣାଯାଇଥିଲା।

ଫଳରେ ଗତ ୭ ଦିନ ଧରି ଧାନ ସଂଗ୍ରହରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଥିଲା। ଜାତୀୟ ରାଜପଥ ଅବରୋଧ ସ୍ଥଳରେ ସଦର ଉପ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଏସ୍ପି ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ଥିବା ବେଳେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀ ବହୁ ସଂଖ୍ୟାରେ ଫୋର୍ସ ସହ ଉପସ୍ଥିତ ଥିଲେ। ଅବରୋଧ ସ୍ଥଳରେ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ ପାଇଁ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପୁଲିସ ଦୂରଗାମୀ ଯାନଗୁଡ଼ିକୁ ଅଟକାଇ ରଖିଥିଲା।