କୃଷି ଓଡ଼ିଶା-୨୦୨୦ ଉଦ୍ଘାଟିତ, ଚାଷୀ ଓଡ଼ିଶାର ବିକାଶର ସାରଥି-ମୁଖ୍ୟମନ୍ତ୍ରୀ ମହାନଗରରାଜ୍ୟ By Nitidin Last updated Jan 20, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଚାଷୀ ଓଡ଼ିଶାର ବିକାଶର ସାରଥି। ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଓଡ଼ିଶାର ସମ୍ମାନ ବଢ଼ିଛି ବୋଲି କୃଷି ଓଡ଼ିଶା-୨୦୨୦ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ ଓଅର୍ଥନୀତିର ଶକ୍ତି। ଚାଷୀମାନଙ୍କର ଉନ୍ନତି ହିଁ ଦେଶର ଗୌରବ ଓ ସ୍ୱାଭିମାନ ବୃଦ୍ଧି କରିଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ। ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରରେ ଆଗୁଆ ରହୁ। ଚାଷୀ ପରିବାର ସବୁବେଳେ ଆନନ୍ଦରେ ରହୁ। କୃଷିକୁ ଏକ ଲାଭଜନକ ବୃତ୍ତି କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମରସୁଯୋଗ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ କୃଷି ଓ କୃଷକର ବିକାଶ ପାଇଁ ତାଙ୍କ ସରକାରର ପ୍ରତିବଦ୍ଧତା ଘୋଷଣା କରିଥିଲେ। ଏହି ସମାରୋହରେ ଉଦ୍ବୋଧନ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କୃଷି କ୍ଷେତ୍ରରେ ବିଭିନ୍ନ ସଫଳତା ଉପରେ ଆଲୋକପାତ କରିବା ସହିତ ଚାଷୀ ଭାଇମାନଙ୍କୁ ଏହାର ଶ୍ରେୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ର ସରକାରଙ୍କ ସାର ବିଭାଗର ସଚିବ ଛବିନ୍ଦ୍ର ରାଉଳ, ଏଫ୍ଆଇସିସିଆଇର ମହାସଚିବ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। କୃଷି ବିଭାଗର ପ୍ରମୁଖ ସଚିବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଚିବ ପ୍ରଭୂପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୧୦ଜଣ ଆଗୁଆ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ନବନିଯୁକ୍ତ ସହକାରୀ କୃଷି ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ଏବଂ ନୂତନ କୃଷି ନୀତି ‘ସମୃଦ୍ଧି’ରଶୁଭ ଉନ୍ମୋଚନ କରିଥିଲେ। କୃଷି ଓଡ଼ିଶା ୨୦୨୦ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ୨୧୮ଟି ଷ୍ଟଲ ଖୋଲାଯାଇଛି ଏବଂ ଏଥିରେ ଦେଶର ଅନେକ ପ୍ରସିଦ୍ଧ କୃଷି ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଛନ୍ତି। Share