ଧାନଚାଷ ଉଜାଡୁଛି ଚିଙ୍ଗୁଡ଼ିଘେରି, ଚାଷୀଙ୍କ ଉପରେ ମାଫିଆରାଜ୍

ରଶ୍ମି ରଞ୍ଜନ ମହାପାତ୍ର , କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଳ ରାଜନଗର ଏକ ଅଣଜଳସେଚିତ ଅଞ୍ଚଳ ଭାବେ ଜଣାଶୁଣା। ସମୁଦ୍ର କୂଳବର୍ତ୍ତୀ ଏହି ବ୍ଲକରେ କେବଳ ଏକମାତ୍ର ଫସଲ ଧାନକୁ ଜୀବନ ଜୀବିକା ଭାବେ ଲୋକମାନେ ଗ୍ରହଣ କରିଥାନ୍ତି। ତେବେ ବ୍ଲକର ଅର୍ଦ୍ଧେକ ଅଞ୍ଚଳ ଏବେ ଚିଙ୍ଗୁଡ଼ି ମାଫିଆଙ୍କ କବଳରେ କବଳିତ ହୋଇଥିବା ଅଭିଯୋଗ ହେଉଛି। ଚିଙ୍ଗୁଡ଼ିଚାଷରେ ଲୁଣାପାଣି ବିଶେଷ ଲାଭଦାୟକ ହେଉଥିବାବେଳେ ଅନ୍ୟପକ୍ଷରେ ଧାନଫସଲ ପାଇଁ ଏହି ପାଣି ଘାତକ ହୋଇଥିବା ସୂଚନା ମିଳିଛି। ଚିଙ୍ଗୁଡ଼ିଘେରିରୁ ନିର୍ଗତ ଲୁଣାପାଣି ଧାନଚାଷ ଜମିକୁ ମାଡ଼ିଯିବା ଦ୍ୱାରା ଚାଷୀର ଫସଲକୁ ଏହା ଉଜାଡ଼ିବାକୁ ବସିଛି।

ରାଜନଗରରେ ଧାନଜମି ନିକଟରେ ଘେରି କରି କିଛି ପ୍ରଭାବଶାଳୀ ଚିଙ୍ଗୁଡ଼ି ମାଫିଆ ବିଶେଷ ଲାଭବାନ ହେଉଥିବା ବେଳେ ସାଧାରଣ ଧାନ ଚାଷୀ କ୍ଷତି ସହୁଛନ୍ତି। ମଧୁରପାଣି ଧାନଚାଷରେ ବ୍ୟବହୃତ ହେଉଥିବାବେଳେ ଘେରିର ଲୁଣାପାଣି ଧାନ ଜମିରେ ମାଡ଼ିଯିବା ଦ୍ୱାରା ଚାଷୀ ଜୀବିକା ହରାଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ବଳଭଦ୍ରପୁର ଗ୍ରାମର ଚର୍ତୁଃପାଶ୍ୱର୍ରେ ବେଆଇନ୍ ଚିଙ୍ଗୁଡ଼ି ଘେରିଗୁଡ଼ିକ ଗଢ଼ିଉଠିଛି।

ଘେରି ମାଲିକମାନେ ଅନେକ ସ୍ଥାନରେ ଅଗଭୀର ନଳକୂପ ବସାଇ ମାଟିତଳୁ ଲୁଣାଜଳ ବାହାର କରୁଛନ୍ତି। ଏହି ଲୁଣାଜଳ ଖାରିପାଣି ଚିଙ୍ଗୁଡ଼ିଚାଷରେ ବ୍ୟବହୃତ ହେଉଥିବା ବେଳେ ଘେରିରୁ ନିର୍ଗତ ଲୁଣାଜଳ ଧାନ ଜମିରେ ମାଡିଯିବା ସହିତ ନିକଟସ୍ଥ ସମସ୍ତ ପାଣି ନାଳରେ ଏହି ଦୂଷିତ ଜଳ ପ୍ରବାହିତ ହେଉଛି। ଏହାଦା୍ୱରା ଜମିରେ ଥିବା ଧାନଗଛ ଜଳିଯିବା ସହିତ ଫସଲ ଭୂଇଁରୁ ଉପରକୁ ଉଠିପାରୁନାହିଁ। ତେବେ ନାଳରୁ ଦୂଷିତ ଲୁଣାଜଳ ନିଷ୍କାସନ କରାଯାଇ ଫସଲ ରକ୍ଷା କରାଯାଇପାରନ୍ତା। ମାତ୍ର ଏହି ଘେରି ମାଲିକମାନେ ଏହା କରିବାକୁ ଦେଉନଥିବା ଚାଷୀ ପ୍ରକାଶ କରିଛନ୍ତି।

ଏହି ଚିଙ୍ଗୁଡ଼ି ଘେରି ମାଲିକମାନଙ୍କ ଉପଦ୍ରବରେ ଚାଷୀମାନେ ବର୍ଷକର ଦାନା ହରାଇବେ ବୋଲି ବଳଭଦ୍ରପୁର ଗାଁର ତ୍ରିଲୋଚନ ପ୍ରଧାନ, ପ୍ରଦୀପ ବେହେରା, ନରେନ୍ଦ୍ର ପ୍ରଧାନ, ରମାକାନ୍ତ ବେହେରା, ସୂର୍ଯ୍ୟକାନ୍ତ ବେହେରା, ଲମ୍ବୋଦର ବେହେରା, ଅନିରୁଦ୍ଧ ବେହେରା, ଘନଶ୍ୟାମ ବେହେରା ପ୍ରମୁଖ ଶତାଧିକ ଚାଷୀ କହିଛନ୍ତି। ଏ ସମ୍ପର୍କରେ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ତେବେ ଅଭିଯୋଗ ପରେ ତହସିଲଦାର ନିହାରରଞ୍ଜନ ମଲ୍ଲିକ ରିଘାଗଡ଼ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର ଚିଙ୍ଗୁଡି ମାଫିଆମାନଙ୍କ ପ୍ରଭାବରେ କିଛି ହେଲା ନାହିଁ ବୋଲି ଚାଷୀମାନେ କହିଛନ୍ତି। ତେବେ କେବଳ ବଳଭଦ୍ରପୁର ଗାଁରେ ଏହି ସମସ୍ୟା ଦେଖା ଦେଇନାହିଁ। ବରଂ ଏହି ବ୍ଲକର ବାଘମାରୀ ପଞ୍ଚାୟତ ଅଧୀନ ଅମରାବତୀ ଓ ଉଦ୍ୟାନ ଗାଁରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଥିବା ସୂଚନା ମିଳିଛିି। ଗ୍ରାମର ପୁଲିନ ବିହାରୀ ଦାସ, ଦେବବ୍ରତ ମାଇତି ଏବଂ କର୍ଣ୍ଣକୁମାର ଦାସ ପ୍ରଭୃତି ଚାଷୀ ମଧ୍ୟ ଏହି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିବା ସୂଚନା ମିଳିଛି। ସେମାନଙ୍କର ଧାନ ରୁଆ ଯାଇଥିବା କିଛି ଏକର ଚାଷ ଜମିର ଫସଲ ଏହି କାରଣରୁ ନଷ୍ଟ ହୋଇଯାଇଥିବା ଅଭିଯୋଗରେ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ଅବିଭକ୍ତ ତାଳଚୁଆ, ରଙ୍ଗଣୀ, ଡାଙ୍ଗମାଳ ଓ ଈଶ୍ୱରପୁର ପଞ୍ଚାୟତରେ ଧାନ ଜମି ନଷ୍ଟ ହେବା ସହ ଚିଙ୍ଗୁଡ଼ି ଘେରି ପାଇଁ ବହୁ ପରିମାଣରେ ଚର୍ମରୋଗ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସିଆରଜେଡ୍ ଆଇନ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ବାଧ୍ୟବାଧକତାରେ ପ୍ରଶାସନ ନଦୀପଠାରେ ଗଢ଼ିଉଠିଥିବା କିଛି ଚିଙ୍ଗୁଡ଼ି ଘେରିକୁ ନାମକୁ ମାତ୍ର ଉଚ୍ଛେଦ କରିଥିଲା।

ଆଜିବି ଖୋଳାରୁ ତାଳଚୁଆ ସାମୁଦ୍ରିକ ଥାନା ପର୍ଯ୍ୟନ୍ତ ଅନେକ ପରିମାଣରେ ଚିଙ୍ଗୁଡ଼ିଘେରି ଖୁଲମଖୁଲା ଚାଲିିଛି। ଅଧିକାଂଶ ଘେରିମାଲିକ ନଦୀପଠାକୁ ଛାଡ଼ି ଏବେ ଭେଡ଼ା ମଧ୍ୟରେ ଥିବା ଚାଷଜମିରେ ଚିଙ୍ଗୁଡ଼ି ଘେରି କରିବା ଫଳରେ ପାଖ ଜମିରେ ହୋଇଥିବା ଧାନଚାଷ ଏହାଦ୍ୱାରା ପ୍ରଭାବିତ ହୋଇଛି। ଏହାସହିତ ଧାନଚାଷ ଜମିରେ ଲୁଣା ପାଣି ମାଡ଼ିଯିବାରୁ ମାଟିର ଅମ୍ଳତା ପରିମାଣ ବୃଦ୍ଧି ଘଟୁଥିବାବେଳେ ଆଗାମୀ ଦିନରେ ଅମ୍ଳ ମାଟିରେ ଆଉ ଫସଲ ହେବନି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଚିଙ୍ଗୁଡ଼ି ଘେରି ଏବେ ଧାନଚାଷ ଉଜାଡୁଥିବାରୁ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକା ଉଜୁଡ଼ି ଯିବାକୁ ବସିଛି।