ସରକାରଙ୍କ ଖାଦ୍ୟ ଗ୍ରହଣ କଲେ ନାହିଁ କୃଷକ ନେତା

ନୂଆଦିଲ୍ଲୀ, ଏଜେନ୍ସି: ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ୮ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। ଗୁରୁବାର ଏହି କୃଷକ ସଂଗଠନଗୁଡିକର ନେତାମାନେ କେନ୍ଦ୍ର ସରକାରଙ୍କ ସହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନ ସମୟରେ କୃଷକ ନେତାମାନେ ସରକାରଙ୍କ ଖାଦ୍ୟ ଗ୍ରହଣ ନକରି ସେମାନେ ସାଥିରେ ଆଣିଥିବା ଖାଦ୍ୟ ଖାଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ କହିଛନ୍ତି, ମଧ୍ୟାହ୍ନ ଭୋଜନ ବିରତି ସମୟରେ ସରକାର ଆମକୁ ଖାଦ୍ୟ ଯାଚିଥିଲେ କିନ୍ତୁ ତାହା ଗ୍ରହଣ କଲୁନାହିଁ। ନିଜେ ଆଣିଥିବା ଖାଦ୍ୟ ଖାଇଲୁ।

ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ କୃଷକନେତାମାନେ ପରସ୍ପର ମଧ୍ୟରେ ଖାଦ୍ୟ ବାଣ୍ଟି ଖାଉଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଏଥିପୂର୍ବରୁ କେନ୍ଦ୍ର ସହ ଆଲୋଚନା ବେଳେ କୃଷକ ନେତାମାନେ ଖାଦ୍ୟ ଗ୍ରହଣ କରିବା ସମ୍ପର୍କରେ ଅନୁରୂପ ଭାବେ କେନ୍ଦ୍ରର ଅନୁରୋଧ ଏଡାଇ ଯାଇଥିଲେ। ଏହି ପରିପ୍ରେକ୍ଷୀରେ ଜଣେ କୃଷକ ନେତା କହିଥିଲେ, ଆମେ ଯଦି ସରକାରଙ୍କ ଖାଦ୍ୟ ଗ୍ରହଣ କରି ମନ୍ତ୍ରୀଙ୍କ ସହ ମିଶି ଭୋଜନ କରିବୁ ତାହାହେଲେ ଏହାର ଫଟୋ ଉଠାଯାଇ କୃଷକ ନେତାମାନେ ସରକାରଙ୍କ ସହ ସମ୍ମତ ହୋଇଥିବା ସାଧାରଣରେ ବାର୍ତ୍ତା ପ୍ରଚାରିତ ହେବ। ତେଣୁ ସେମାନେ ସରକାରଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ସାଙ୍ଗରେ ଆଣିଥିବା ଖାଦ୍ୟ ଖାଇବାକୁ ମନ୍ତ୍ରୀମାନଙ୍କୁ ଓଲଟା ଅନୁରୋଧ କରିଥିଲେ।