କୃଷି ଆନ୍ଦୋଳନ ବେଳେ ଅଘଟଣ: ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ଜଣେ କୃଷକ ମୃତ

ରୋହତକ,ଏଜେନ୍ସି: ଗତକାଲିଠାରୁ ସାରା ଦେଶରେ କୃଷି ବିଲକୁ ବିରୋଧ କରି ସବୁ ରାଜ୍ୟର କୃଷକ ମାନେ ଏକଜୁଟ ହୋଇ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଭୋର ସାଢ଼େ ୫ଟାରେ କୃଷକମାନେ ଟ୍ରାକ୍ଟରରେ ଦିଲ୍ଲୀ ଚଲୋ ଅଭିଯାନରେ ଯାଉଥିବାବେଳେ ହରିଆଣାର ଭିୱାନି ସ୍ଥିତ ମୁଣ୍ଡଳ ଗ୍ରାମ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଜଣେ କୃଷକର ମୃତ୍ୟୁ ହୋଇଛି। ସେହିପରି ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଥିବା ଭିୱାନି ପୁଲିସ ସୂଚନା ଦେଇଛି।

ତେବେ ମୃତକ ଜଣଙ୍କ ମାନସ ଜିଲ୍ଲାର ତାନା ସିଂହ(୪୦) ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ କୃଷକମାନେ ଯେତେବେଳେ ଆନ୍ଦୋଳନ କରି ମୁଣ୍ଡଳ ନିକଟରେ ପହଞ୍ଚିଥିଲେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ଟ୍ରକ ଆସି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାନା ସଂହଙ୍କ ମୃତ୍ୟୁ ହୋଇଥିଲା। ଏବଂ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇବା ସହିତ ମୃତ ବ୍ୟକ୍ତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେହିପରି ପୁଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି।

ଅନ୍ୟପଟେ ମୃତ ଦେହକୁ ଚାଷୀମାନେ ନେବା ପାଇଁ ମନା କରିଦେଇଥିବା ଭିୱାନି ପୁଲିସ ସୂଚନା ଦେଇଛି।