ଭୁବନେଶ୍ୱର,ଏନ୍ଏନ୍ଏସ୍: ଏପ୍ରିଲ୍ ୨୦୨୦ ସୁଦ୍ଧା ଚାଷୀଙ୍କ ଡାଟା ବେସ୍ ପ୍ରସ୍ତୁତ ହେବ। କାଳିଆ ଡାଟା ସହ ଖାଦ୍ୟ ସୁରକ୍ଷା ଓ ବିଜୁ ସ୍ୱାସ୍ଥ୍ୟଯୋଜନା ସମ୍ମିଳିତ ଡାଟା ବେସ୍ ପ୍ରସ୍ତୁତ ହେବ। ଡାଟା ବେସରେ ଭାଗ ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ସ୍ଥାନିତ ହେବେ। ୫ ବର୍ଷରେ ୭୮ ହଜାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଟାର୍ଗେଟ୍ କରାଯାଇଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
୫-ଟି ଓ ‘ମା ସରକାର’ ସମ୍ପର୍କିତ ଦକ୍ଷତା ବିକାଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜାନୁୟାରୀ ପହିଲା ସୁଦ୍ଧା ମୋବାଇଲ ଆପରେ କୃଷି ବିଭାଗର ସବୁ ଯୋଜନା ଉପଲବ୍ଧ ହେବ। ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। କୃଷି ବିଭାଗ ୫ଟି ଅଧୀନକୁ ଆସିବା ପରେ ଏହିସବୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗୁରୁବାର ରେଲ୍ ଅଡିଟାରିୟଠାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଏହା ଅଧୀନରେ ଥିବା ସମସ୍ତ ନିର୍ଦ୍ଦେଶାଳୟ ଏବଂ ନିଗମଗୁଡ଼ିକର ଅଧିକାରୀ ଓ କର୍ମଚାରୀମାନଙ୍କ ୫-ଟି ଓ ‘ମା ସରକାର’ ସମ୍ପର୍କିତ ଦକ୍ଷତା ବିକାଶ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ କୃଷି ମନ୍ତ୍ରୀ କହଛନ୍ତିି, କୃଷକଙ୍କ ବିକାଶରେ ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ଜଡ଼ିତ। ରାଜ୍ୟ ସରକାର ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ଅନେକଗୁଡିଏ ପଦକ୍ଷେପ ନେଇଥିବାବେଳେ ସେଗୁଡ଼ିକର ସଫଳ ରୂପାୟନ ନିମନ୍ତେ ୫-ଟି କୁ କଡ଼ାକଡ଼ି ପାଳନ କରାଯାଇଛି।
ମନ୍ତ୍ରୀ ଡ. ସାହୁ କହିଲେ ଯେ ଚାଷୀମାନଙ୍କର ପରିଶ୍ରମର ଫଳ ଆମେ ଭାଗ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ଚାଷର ଉନ୍ନତି ନିମନ୍ତେ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ଆବଶ୍ୟକ। ବିଗତ ଦୁଇଦଶନ୍ଧି ମଧ୍ୟରେ ରାଜ୍ୟ ବନ୍ୟା, ବାତ୍ୟା, ମରୁଡ଼ି, ରାଗପୋକ ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଏବଂ କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ରାଜ୍ୟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସହିତ ଚାଉଳ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ହାଇପାରିଛି ।
କର୍ମଶାଳାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ନୂତନ କୃଷିନୀତିରେ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା, ସଂରକ୍ଷଣ ସହ ତାହାକୁ ମୂଲଯୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ବିଭାଗ ତରଫରୁ ପ୍ରଣୟନ କରାଯାଉଥିବା ଯୋଜନାଗୁଡ଼ିକ କିପରି ଚାଷୀଙ୍କ ନିକଟରେ ପହଞ୍ଚିପାରିବ ସେ ଦିଗରେ ଅଧିକାରୀ ଓ କର୍ମଚାରୀମାନେ ତତ୍ପର ହେବା ପାଇଁ କହିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର କର୍ମଶାଳାର ଆଭିମୁଖ୍ୟ ତଥା ୫-ଟି ଓ ‘ମା ସରକାର’ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।