ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ: ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଚାଷୀ

ନୂଆଦିଲ୍ଲୀ,ଏଜେନ୍ସି: ଦିନକୁ ଦିନ ଚାଷୀଙ୍କ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ସରକାରଙ୍କ ନୂତନ କୃଷି ନୀତିକୁ ବିରୋଧ କରି ଦୀର୍ଘ ୩୮ ଦିନ ହେଲା ଚାଷୀମାନଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଭୀଷଣ ଥଣ୍ଡା ଯୋଗୁଁ ପ୍ରାୟ ୪୫ ଜଣ କୃଷକଙ୍କ ଜୀବନ ଗଲାଣି। ତଥାପି ସରକାର ଏହି ଆଇନର ପ୍ରତ୍ୟାହାର ନ କରିବାରୁ ନିଜ ହକ୍ ପାଇଁ ଆନ୍ଦୋଳନ ସ୍ଥଳରେ ହିଁ ଜୀବନ ହାରିଛନ୍ତି ଜଣେ କୃଷକ। ଆଜି ଜଣେ କୃଷକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପୂରା ରାଜ୍ୟକୁ ଦୋହଲାଇ ଦେଇଛି।

ସୂଚନା ଅନୁସାରେ ଉତ୍ତରପ୍ରଦେଶ ଗାଜିଆବାଦ ସୀମାର ଧାରଣା ସ୍ଥଳୀ ପାଖରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଚାଷୀ ଶୌଚାଳୟ ଭିତରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା କରିଥିବା କୃଷକଙ୍କ ପକେଟରୁ ଏକ ଚିଠି ମଧ୍ୟ ମିଳିଛି। ଏହି ଚିଠିରୁ ଯାହା ଜଣାପଡିଛି, କୃଷକ ଜଣଙ୍କ ରାମପୁର ଜିଲ୍ଲାର ଏବଂ ତାଙ୍କ ନାଁ କାଶ୍ମୀର ସିଂହ। ତାଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀ- ୟୁପି ସୀମାରେ କରିବା ପାଇଁ କୃଷକ ଜଣକ ତାଙ୍କ ଚିଠିରେ ଲେଖିଛନ୍ତି।

କୃଷକଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ କୃଷକ ସଂଗଠନ ନେତା ରାକେଶ ଟିକାୟତ ଭାବୁକ ହୋଇ କହିଛନ୍ତି କି କୃଷକ ଆନ୍ଦୋଳନ ଏବେ ଭାବନାତ୍ମକ ରୂପ ସହିତ ଯୋଡି ହୋଇସାରିଛି। ସରକାର ତାଙ୍କ ଜିଦରେ ଅଟଳ ରହିବା ଯୋଗୁଁ କୃଷକମାନେ ସେମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଲେଣି। ଫଳରେ ଏବେ ଆମକୁ ଏଭଳି ଘଟଣାର ସାମ୍ନା କରିବାକୁ ପଡୁଛି। ସେ ଆହୁରି କହିଛନ୍ତି କି ଯଦି ଆଗକୁ ସରକାର ଏଭଳି ଜିଦରେ ଅଟଳ ରୁହନ୍ତି ତା’ହେଲେ କୃଷକମାନେ ସରକାରକୁ ମାଟିରେ ମିଶାଇ ଦେବେ। ଯେଉଁ ପର୍ଯ୍ୟନ୍ତ ସରକାର କୃଷକମାନଙ୍କର ଦାବି ମାନିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।