ବୀମା ରାଶି ପାଇଁ ଚାଷୀଙ୍କ ରାସ୍ତାରୋକ

ବଲାଙ୍ଗୀର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଜଳସେଚନର ହାର ମାତ୍ର ୩ପ୍ରତିଶତ ଥିବାରୁ ବର୍ଷା ସଠିକ ଭାବେ ନହେଲେ ଚାଷ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଉଛି। ସେହିପରି ଚଳିତ ବର୍ଷ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । ଏଭଳି ପରିସ୍ଥିତିରେ ଚାଷୀମାନଙ୍କୁ ସହାୟତାର ଆବଶ୍ୟକତା ରହିଛି। ଏହି ଭଳି କ୍ଷତିର ରକ୍ଷା ପାଇବାପାଇଁ ବିଗତ  ବର୍ଷ ଚାଷୀମାନେ ଫସଲ ବୀମା କରିଥିଲେ। କିନ୍ତୁ ଦେଓଗାଁ ବ୍ଲକ୍‌ର ହଜାର ହଜାର ଚାଷୀ ବୀମା କ୍ଷତିପୂରଣ ରାଶି ପାଇବାରୁବଞ୍ଚିତ ହୋଇଛନ୍ତି। କ୍ରମାଗତ ଭାବେ ଏହାକୁନେଇ ଆନ୍ଦୋଳନ କଲେ ମଧ୍ୟ କେହି ଶୁଣୁନାହାନ୍ତି।

କେତେକ କ୍ଷେତ୍ରରେ ବୀମା କମ୍ପାନୀମାନେ ଚାଷୀଙ୍କୁ ବୀମା କ୍ଷତିପୂରଣ ରାଶି ପ୍ରଦାନ କରିବା ବଦଳରେ ସେମାନେ ଭରିଥିବା ପ୍ରିମିୟମ ରାଶି ବ୍ୟାଙ୍କ ଜରିଆରେ ଫେରସ୍ତ କରୁଛନ୍ତି। ଆଉ କେତେକ କ୍ଷେତ୍ରରେ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ଋଣ ଏହି ବୀମା ରାଶିରୁ କାଟି ରଖାଯାଉଛି। ତେବେ ବୀମା ରାଶିରୁ ଋଣ ପରିଶୋଧ ଟଙ୍କା କଟା ଯାଇ ପାରିବ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ବେଆଇନ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷ ତାହା କାଟି ରଖୁଛନ୍ତି। ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଶୁକ୍ରବାର ଚାଷୀମାନେ ଦେଓଗାଁ ଠାରେ ବଲାଙ୍ଗିର- ଟିଟିଲାଗଡ଼ ରାସ୍ତାକୁ ଅବରୋଧ କରି ବୀମା କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦାବି କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ବଲାଙ୍ଗିର- ଟିଟିଲାଗଡ଼ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଓ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।